FeaturedLatestNews

ବିଦ୍ୟୁତ୍ ଟାରିଫ କମାଇବେ ରାଜ୍ୟ ସରକାର

ଭୁବନେଶ୍ୱର (ସଂକେତ ଟିଭି): ଆଗକୁ ରାଜ୍ୟରେ କିଭଳି ବିଦ୍ୟୁତ୍ ଟାରିଫ କମାଇହେବ ସେନେଇ ଶକ୍ତି ବିଭାଗ ପକ୍ଷରୁ ବଡ଼ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେ.ଭି. ସିଂଦେଓ ।

ସେ କହିଛନ୍ତି ଯେ, ରାଜ୍ୟରେ ବ୍ୟାପକ ଭାବେ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରାଯିବ । ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କର୍ମଶାଳାରେ ଏନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କେନ୍ଦ୍ରୀୟ ମନ୍ତ୍ରାଳୟ MNRE ଏହି ପ୍ରକଳ୍ପଗୁଡ଼ିକ ପାଇଁ ବଡ଼ ଆର୍ଥିକ ସହାୟତା ଯୋଗାଇ ଦେଉଛି । ଯାହା ଦ୍ୱାରା ଓଡ଼ିଶା ଆଗାମୀ ଦିନରେ ସବୁଜ ଶକ୍ତି ବା ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଏକ ପ୍ରମୁଖ ହବ୍ ହେବାକୁ ଯାଉଛି । କୌଣସି ବଡ଼ ଡ୍ୟାମ୍ କିମ୍ବା ବିସ୍ଥାପନର ଆବଶ୍ୟକତା ନାହିଁ । ବୋହି ଯାଉଥିବା ସାଧାରଣ ଝରଣା ପାଣିରେ ଟର୍ବାଇନ ଲଗାଇ ସହଜରେ ବିଜୁଳି ଉତ୍ପାଦନ କରାଯାଇପାରିବ ।

ସ୍ମଲ ହାଇଡ୍ରୋ ପ୍ରୋଜେକ୍ଟ ପାଇଁ ରାଜ୍ୟରେ ୧୮୫ଟି ସାଇଟ୍ ଚିହ୍ନଟ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୦ଟି ସ୍ଥାନରେ କରିବା ପାଇଁ ଟେଣ୍ଡର ହୋଇଛି । ପୂର୍ବରୁ ଓଡ଼ିଶାକୁ ଏଭଳି କ୍ଷୁଦ୍ର ପ୍ରକଳ୍ପରୁ ୧୩୩ ମେଗାୱାଟ୍ ବିଦ୍ୟୁତ ମିଳୁଥିବା ବେଳେ ଏବେ ଏହାକୁ ବଡ଼ ସ୍ତରରେ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଦ୍ୱାରା ଆଉ ୯୩ ମେଗାୱାଟ ବିଦ୍ୟୁତ ଉତ୍ପାଦନର ସମ୍ଭାବନା ରହିଛି । ୩ ରୁ ୪ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରହିଛି ।

ଓଡ଼ିଶାକୁ ଶକ୍ତି ସ୍ୱାବଲମ୍ବୀ ଏବଂ ଗ୍ରାହକଙ୍କୁ ଶସ୍ତାରେ ବିଜୁଳି ଯୋଗାଇବା ପାଇଁ ରାଜ୍ୟ ସରକାର ଏହି ମିଶନକୁ ବେଶ୍ ଗୁରୁତ୍ୱର ସହ ନେଇଛନ୍ତି । ଏହି ପ୍ରକଳ୍ପଗୁଡ଼ିକୁ ସମୟ ସୀମା ମଧ୍ୟରେ ଶେଷ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେ.ଭି. ସିଂଦେଓ ।