CrimeFeaturedLatestNews

ମଦ୍ୟପ ସ୍ୱାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ, ଅଭିଯୁକ୍ତ ଅଟକ

ଭଦ୍ରକ (ସଂକେତ୍ ଟିଭି): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ପାଇକିରାପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହର କରୁଣ ପରିଣତି ସ୍ୱରୂପ ମଦ୍ୟପ ସ୍ୱାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ପାଇକିରାପୁର ଗାଁର ବିଜୟ ପତି ସବୁବେଳେ ମଦ୍ୟପାନ କରି ଘରେ ପାଟିତୁଣ୍ଡ ଓ ମାରପିଟ କରନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ବିଜୟ ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରିଥିଲେ। ଏହାପରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା।

ଉତକ୍ଷିପ୍ତ ହୋଇ ବିଜୟ ତାଙ୍କ ସ୍ତ୍ରୀ କମଳିନୀକୁ ମାଡ଼ ମାରିଥିଲେ। ଏହି ମାଡ଼ରେ କମଳିନୀଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣା ପରେ ଘର ସାରା ମଦ ବୋତଲର ଭଙ୍ଗା କାଚ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଏ ନେଇ ଗ୍ରାମବାସୀ ଚାନ୍ଦବାଲି ପୋଲିସକୁ ସକାଳୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଦ୍ୟପ ସ୍ୱାମୀ ବିଜୟକୁ ଚାନ୍ଦବାଲି ଥାନାକୁ ଆଣିଥିବା ଜଣାପଡିଛି। ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।