ପୋଲିସ ଡ୍ରେସ୍ରେ ରିଲ୍ସ ଉପରେ ଲାଗିଲା କଟକଣା
ଭୁବନେଶ୍ୱର (ସଂକେତ ଟିଭି): କମିଶନରେଟ୍ ପୋଲିସ ପକ୍ଷରୁ ସୋସିଆଲ ମିଡିଆ ଉପରେ କଟକଣା ଜାରି କରାଯାଇଛି। ପୋଲିସ ଡ୍ରେସ୍ ପିନ୍ଧି କୌଣସି ଅଫିସର କିମ୍ବା କର୍ମଚାରୀ ରିଲ୍ସ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶାନାମାରେ ସ୍ପଷ୍ଟ ଉଲ୍ଲେଖ ରହିଛି।
ଏହି ନିର୍ଦ୍ଦେଶାନାମା ଅନୁସାରେ, ରିଲ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଧାନସଭା, ମନ୍ଦିର ଓ ଧାର୍ମିକ ସ୍ଥଳରେ ଫଟୋ ଉଠାଇ ପୋଷ୍ଟ କରିବା ପୋଲିସ ପାଇଁ ନିଷେଧ କରାଯାଇଛି।
ସେହିପରି ଲୋକ ଭବନ, ଲୋକସେବା ଭବନ, ରିଜର୍ଭ ବ୍ୟାଙ୍କ ଏବଂ ହାଇକୋର୍ଟ ଆଗରେ ପୋଲିସ ପୋଷାକରେ ଫଟୋ ପୋଷ୍ଟ କରିବା ଉପରେ ମଧ୍ୟ କଟକଣା ଲାଗିଛି।
ଯଦି କୌଣସି ଅଫିସର କିମ୍ବା କର୍ମଚାରୀ ଏହି ନିୟମକୁ ଅଣଦେଖା କରନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତ ୧୯ ତାରିଖରେ ପୋଲିସ କମିଶନରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଛି।
