FeaturedLatestNews

ସୋମବାର ଏଣିକି ‘ଅଣ ବୈଠକ ଦିବସ’: ଜରୁରୀ ନଥିଲେ ସରକାରୀ ବୈଠକ ନାହିଁ

ଭୁବନେଶ୍ୱର (ସଂକେତ ଟିଭି): ଏଣିକି ପ୍ରତି ସୋମବାର ସରକାରୀ କାର୍ଯ୍ୟାଳୟରେ ‘No Meeting Day’ ବା ‘ଅଣ ବୈଠକ ଦିବସ’ ପାଳନ ହେବ। ଜରୁରୀ ନଥିଲେ ସୋମବାର ଦିନ କୌଣସି ସରକାରୀ ବୈଠକ ହେବ ନାହିଁ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ଅତ୍ୟନ୍ତ ଜରୁରୀ ପରିସ୍ଥିତି ବ୍ୟତୀତ ସୋମବାର କୌଣସି ବୈଠକ ନରଖିବାକୁ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଓ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ରବିବାର ନିର୍ଦ୍ଦେଶନାମା ଜାରି ହୋଇଛି।

ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଏହି ନିର୍ଦ୍ଦେଶ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର-ତଥା-ଶାସନ ସଚିବ, ବିଭାଗୀୟ ମୁଖ୍ୟ ଦପ୍ତର ଏବଂ ସମସ୍ତ ଜିଲ୍ଲାପାଳଙ୍କୁ ପଠାଇଛନ୍ତି।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ସୋମବାର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସାପ୍ତାହିକ ଜନଅଭିଯୋଗ ଶୁଣାଣି ହେଉଛି। ଏହି ସମୟରେ ସାଧାରଣ ଲୋକେ ନିଜର ଅଭିଯୋଗ ଓ ସମସ୍ୟା ନେଇ ଅଧିକାରୀଙ୍କ ନିକଟକୁ ଆସୁଛନ୍ତି। ତେଣୁ ଏହି ଦିନ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି ଓ ସକ୍ରିୟ ଅଂଶଗ୍ରହଣକୁ ସରକାର ଗୁରୁତ୍ୱ ଦେଇଛନ୍ତି।

କିନ୍ତୁ ସରକାରଙ୍କ ନଜରକୁ ଆସିଛି ଯେ ସୋମବାର ଦିନ ମଧ୍ୟ ଉଚ୍ଚ ପଦାଧିକାରୀଙ୍କ ସ୍ତରରେ ବିଭିନ୍ନ ବୈଠକ ରଖାଯାଉଛି। ଏହାଦ୍ୱାରା ବରିଷ୍ଠ ଅଧିକାରୀମାନେ ସାପ୍ତାହିକ ଅଭିଯୋଗ ଶୁଣାଣିରେ ଠିକ୍ ଭାବେ ଯୋଗଦେଇ ପାରୁନାହାନ୍ତି ଏବଂ ଅଭିଯୋଗ ଶୁଣାଣି ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ସୋମବାରକୁ ‘No Meeting Day’ ଘୋଷଣା କରାଯାଇଛି।

ଅତ୍ୟନ୍ତ ଜରୁରୀ କାରଣ ନଥିଲେ ସେହିଦିନ କୌଣସି ପ୍ରକାର ବୈଠକ ନରଖିବାକୁ ସ୍ପଷ୍ଟ ଭାବେ କୁହାଯାଇଛି। ଏହାଦ୍ୱାରା ଉଚ୍ଚ ପଦାଧିକାରୀମାନେ ଜନଅଭିଯୋଗ ଶୁଣାଣିରେ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିପାରିବେ। ସେହିପରି ଏହି ନିର୍ଦ୍ଦେଶକୁ ଅଧସ୍ତନ ସମସ୍ତ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ପାଳନ କରାଇବାକୁ ସମ୍ପୃକ୍ତ ବିଭାଗ ଓ ଅଧିକାରୀମାନଙ୍କୁ କୁହାଯାଇଛି। ସରକାର ଏହି ନିର୍ଦ୍ଦେଶକୁ ‘ଅତ୍ୟନ୍ତ ଜରୁରୀ’ ଭାବେ ଗ୍ରହଣ କରିବାକୁ କହିଛନ୍ତି।

Leave a Reply

Your email address will not be published. Required fields are marked *