CrimeFeaturedLatestNews

୯.୨୪ କୋଟି ଆତ୍ମସାତ ମାମଲା: ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି

ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରରେ ଘଟିଥିବା ୯.୨୪ କୋଟି ଟଙ୍କା ଆତ୍ମସାତ ଘଟଣାରେ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି। ଏହି ମାମଲାରେ ଗତକାଲି (ଶନିବାର) ଭୁବନେଶ୍ୱର R&B ଡିଭିଜନ-୧ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର (SO) ବନଲତା ମହାନ୍ତି ଓ ଜୁନିଅର ଆସିଷ୍ଟାଣ୍ଟ ବିଭୂଦତ୍ତ ନାୟକଙ୍କୁ ଗିରଫ କରାଯାଇଥିଲା। ଆଜି (ରବିବାର) ଆଉ ୪ ଜଣ କର୍ମଚାରୀଙ୍କୁ ଗିରଫ କରାଯିବା ସହ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ବନଲତା ଓ ବିଭୂଦତ୍ତଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଆଉ ୪ ଜଣ କର୍ମଚାରୀଙ୍କୁ ଭିଜିଲାନ୍ସ ଆଜି ଗିରଫ କରିଛି। ସେମାନେ ହେଲେ ପିଅନ ଲକ୍ଷ୍ମଣ ବିଶ୍ୱାଳ, ଦୀପକ କୁମାର ରାଉତରାୟ, ଡାଟା ଏଣ୍ଟ୍ରି ଅପରେଟର ରାଜୀବ ଲୋଚନ ସେନାପତି ଓ ସୌମ୍ୟ ରଞ୍ଜନ ମହାପାତ୍ର।

ହଡ଼ପ ହୋଇଥିବା ସରକାରୀ ଅର୍ଥ ୯ କୋଟି ୨୪ ଲକ୍ଷ ୧୦ ହଜାର ୧୯୩ ଟଙ୍କାରୁ ୪ ଅଭିଯୁକ୍ତଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବା ଭିଜିଲାନ୍ସ ପ୍ରମାଣ ପାଇଛି। ଭିଜିଲାନ୍ସ ପକ୍ଷରୁ ଜାରି ପ୍ରେସ ରିଲିଜ ଅନୁଯାୟୀ, ଦୀପକଙ୍କ ଆକାଉଣ୍ଟକୁ ୩୨ ଲକ୍ଷ ୪୭ ହଜାର ୮୦୦ ଟଙ୍କା, ଲକ୍ଷ୍ମଣଙ୍କ ପାଖକୁ ୧୬ ଲକ୍ଷ ୨୧ ହଜାର ୪୮୪ ଟଙ୍କା, ରାଜୀବଙ୍କ ପାଖକୁ ୨୮ ଲକ୍ଷ ୨୮ ହଜାର ୮୧୭ ଟଙ୍କା ଓ ସୌମ୍ୟଙ୍କ ଆକାଉଣ୍ଟକୁ ୩୫ ଲକ୍ଷ ୬୯ ହଜାର ୯୮ ଟଙ୍କା ପଠାଯାଇଛି। ସମସ୍ତ ୬ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ବନଲତା ଓ ବିଭୂଦତ୍ତ Establishment Sectionରେ କାର୍ଯ୍ୟ କରୁଥିଲେ। ୨୦୨୨-୨୩ରୁ ୨୦୨୫-୨୬ ଆର୍ଥିକ ବର୍ଷରେ ଏହି ଅନିୟମିତତା କରି ଟଙ୍କା ହଡ଼ପ କରିଥିଲେ। ମିଛ ଅର୍ଡର ଓ ବିଲ୍ କରି ଏତେ ବଡ଼ ପରିମାଣର ଟଙ୍କା ଚଳୁ କରିଥିଲେ। ଚଳୁ ଟଙ୍କା ୪୮ ଜଣଙ୍କ ୭୭ଟି ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିଲା ବୋଲି ତଦନ୍ତରେ ଜଣାପଡ଼ିଛି। ଠକେଇ ଧରାପଡ଼ିବା ପରେ ୩ କୋଟି ୯୬ ଲକ୍ଷ ଟଙ୍କା ବିଭାଗ ପକ୍ଷରୁ ଜବତ କରାଯାଇଥିବା ସୂଚନା ଦିଆଯାଇଛି।

ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନା ପକ୍ଷରୁ ମାମଲା (ନଂ.୨୧/୨୦୨୬) ରୁଜୁ କରାଯାଇଛି। ଆଗକୁ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ିପାରେ। ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *