FeaturedGeneralLatest

ଏସଆଇଆର ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗଙ୍କୁ କଡ଼ା ଟିପ୍ପଣୀ କଲେ ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ(ସଂକେତ ଟିଭି): ମତଦାତା ସୂଚୀ ସ୍ୱତନ୍ତ୍ର ପୁନଃନିରୀକ୍ଷଣ (ଏସଆଇଆର) ପ୍ରକ୍ରିୟାକୁ ନେଇ ବମ୍ବେ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କ ଉପରେ ବିଷୋଦଗାର କରିଛନ୍ତି। କଡ଼ା ଟିପ୍ପଣୀ କରିବା ସହ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ଅଦାଲତ।

ଅଦାଲତ କହିଛନ୍ତି ଯେ ଏସଆଇଆର ପ୍ରକ୍ରିୟା ଦେଖି ଲାଗୁଛି, ଆଇନ ଏବଂ ନିୟମକୁ ଅଣଦେଖା କରାଯାଇଛି ଏବଂ ସଫ୍ଟୱେର ହିସାବରେ କାମ ଚାଲିଛି। ଏହା କଦାପି ଗ୍ରହଣୀୟ ନୁହେଁ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି।

ଜଷ୍ଟିସ ବାଲ୍ମିକୀ ମେନେଜେସ ଓ ଜଷ୍ଟିସ ଅମିତ ଜାମସାଣ୍ଡେକରଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ଏହା କହିଛି। ଏହି ମାମଲା ସାନ୍ତା କ୍ରୁଜର ଏକ ପରିବାରର ଛଅ ସଦସ୍ୟଙ୍କ ସହ ଜଡ଼ିତ, ଯାହାଙ୍କ ନାଁକୁ ଏସଆଇଆର ସମୟରେ ଭୋଟର ତାଲିକାରୁ ହଟାଇ ଦିଆଯାଇଥିଲା।ପରିବାର ନିଜର ଠିକଣା ବଦଳାଇବା ପାଇଁ ଫର୍ମ ୮ ଭରିଥିଲେ। ଏହା ସତ୍ତ୍ୱେ ସେମାନଙ୍କ ନାଁକୁ ଭୋଟର ତାଲିକାରୁ ହଟାଇ ଦିଆଯାଇଥିଲା।

ଶୁଣାଣି ସମୟରେ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କରିଛନ୍ତି ଯେ, କେଉଁ ଆଇନ ଆଧାରରେ ଆପଣ କୌଣସି ବ୍ୟକ୍ତିଙ୍କୁ ଶୁଣାଣିର ସୁଯୋଗ ନ ଦେଇ ଭୋଟର ତାଲିକାରୁ ନାଁ ହଟାଇ ଦେଲେ। ଯଦି କୌଣସି ଭୋଟରଙ୍କ ନାଁ ହଟାଯିବାର ଅଛି ତେବେ ପ୍ରଥମେ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯିବା ଦରକାର।

କୋର୍ଟ ସମ୍ବନ୍ଧିତ ଇଲେକ୍ଟୋରାଲ ଅଫିସର (ଇଆରଓ)ଙ୍କୁ ମଧ୍ୟ ଅଦାଲତରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗ ପକ୍ଷରୁ ହାଜର ଆଇନଜୀବୀ ଗୌରିଶ ଅଗ୍ନି ଅଦାଲତଙ୍କୁ ଜଣାଇଛନ୍ତି ଯେ, ଏସଆଇଆର ସମୟରେ ସିଷ୍ଟମ ଫର୍ମ ୮କୁ ପ୍ରୋସେସ୍ ପାଇଁ ଅନୁମତି ନ ଦେବା ପାଇଁ ଏମିତି ବ୍ୟବସ୍ଥା କରାଯାଇଥିଲା।

ଏହା ଉପରେ ହାଇକୋର୍ଟ କହିଛନ୍ତି, ପ୍ରତିଟି ସ୍ଥିତିରେ ଆଇନର ଅନୁପାଳନ ହେବା ଦରକାର। ଇଆରଓଙ୍କ ପାଖରେ ସଫ୍ଟୱେରକୁ ଖୋଲିବା, ସେଥିରେ ପରିବର୍ତ୍ତନ କରିବା ଏବଂ ନିଜ ଆଦେଶ ଅନୁସାରେ କୌଣସି ନାଁ ହଟାଇବାର କ୍ଷମତା ରହିବା ଉଚିତ୍। ଇଆରଓ କୌଣସି ତୃତୀୟ ବ୍ୟକ୍ତି କିମ୍ବା ସଫ୍ଟୱେରର ନିର୍ଦ୍ଦେଶ ଉପରେ ନିର୍ଭର ହୋଇ ଅସହାୟ ଅବସ୍ଥାରେ ରହି ପାରିବେ ନାହିଁ।

ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ସଫ୍ଟୱେର ବା ପ୍ରଯୁକ୍ତିବିଦ୍ୟା ବଦଳରେ ଆଇନର ପାଳନ ହେବା ଉଚିତ୍। ବ୍ୟବସ୍ଥା ମତଦାତା ପାଇଁ କାମ କରିବା ଉଚିତ୍। ଅନ୍ତତଃ ନିର୍ବାଚନ ଆୟୋଗର ଦାୟିତ୍ୱ କୌଣସି ମତଦାତା ତାଲିକାରୁ ବାଦ୍ ନ ପଡ଼ନ୍ତୁ।

କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏସଆଇଆର ଦର୍ଶାଇ ସାଧାରଣ ନିୟମ ଓ ଆଇନଗୁଡ଼ିକୁ ସ୍ଥଗିତ ରଖାଯାଇପାରିବ ନାହିଁ। ଲୋକପ୍ରତିନିଧି ଆଇନର ଧାରା ୨୨ ଏବଂ ରୁଲ୍-୧୩ ଅନୁଯାୟୀ ଯେକୌଣସି ଭୋଟର ଫର୍ମ-୬, ୭ କିମ୍ବା ୮ ଜରିଆରେ ଆବେଦନ କରିବାର ଅଧିକାର ରଖନ୍ତି।

ଯଦି ଗୋଟିଏ ମାମଲାରେ ୬ ଜଣ ଭୋଟର ପ୍ରଭାବିତ ହୋଇଛନ୍ତି, ତେବେ କୋର୍ଟକୁ ଆସିନଥିବା ଏଭଳି ହଜାର ହଜାର ଭୋଟରଙ୍କ ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ହାଇକୋର୍ଟ। ନିର୍ବାଚନ କମିଶନଙ୍କ ମୂଳ କର୍ତ୍ତବ୍ୟ ହେଉଛି ଯେପରି କୌଣସି ବୈଧ ନାଗରିକ ଭୋଟ୍ ଦେବାରୁ ବଞ୍ଚିତ ନହୁଅନ୍ତି।

Leave a Reply

Your email address will not be published. Required fields are marked *