ସ୍ୱେଚ୍ଛାକୃତ ଅବସର ଆବେଦନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପାଳନ, ତେଜିଲା ରାଜନୀତି
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍. ଗୋପାଳନ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିବାକୁ ନେଇ ରାଜନୈତିକ ବୟାନବାଜି ତେଜିଛି। ବିଜେଡି ଅଭିଯୋଗ କରିଛି ଯେ ବିଜେପି ସରକାର ଅଫିସରମାନଙ୍କ ଉପରେ ଚାପ ପକାଉଥିବାରୁ ଏଭଳି ଘଟଣା ଘଟୁଛି। କିଛି ଦିନ ପୂର୍ବରୁ ଜଣେ ଆଇପିଏସ୍ ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେଇଥିଲେ। ଏବେ ଜଣେ ଆଇଏଏସ୍ ଅଧିକାରୀ ସ୍ୱେଚ୍ଛାକୃତ ଅବସର ନେବାକୁ ଆବେଦନ କରିଛନ୍ତି।
ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ ସିଇଓ ଗୋପାଳନଙ୍କ ଭଳି ଜଣେ ଷ୍ଟ୍ରଙ୍ଗ୍ ରାଷ୍ଟ୍ରଭକ୍ତ ଆଇଏଏସ୍ ଅଧିକାରୀ ବିରଳ। ଯେତେବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଜୋର୍ ଧରିଛି, ଠିକ୍ ସେତିକି ବେଳେ ସିଇଓ ଗୋପାଳନଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନ ସନ୍ଦେହ ସୃଷ୍ଟି କରିଛି।
ଜବାବରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ କିଏ ସ୍ୱେଚ୍ଛାକୃତ ଅବସର ନେବେ, ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ଏହାକୁ ନେଇ ରାଜନୀତି କରିବା ଆଦୌ ଉଚିତ୍ ନୁହେଁ।
ବରିଷ୍ଠ ଆଇଏଏସ୍ ଅଧିକାରୀ ଆର. ସନ୍ଥାନା ଗୋପାଳନ ସ୍ୱେଚ୍ଛାକୃତ ଅବସର ବା ଭିଆରଏସ୍ ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚର ଅଫିସର ଗତକାଲି ସନ୍ଧ୍ୟାରେ ହିଁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଏହି ଆବେଦନ କରିଥିବା ଦର୍ଶାଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସଫଳତାର ସହ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର୍ କରିଥିବା ଆର. ସନ୍ଥାନା ଗୋପାଳନ କହିଛନ୍ତି ଯେ କୌଣସି ପ୍ରକାରର ଚାପରେ ନୁହେଁ, ବରଂ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି।
ଦେଶରେ ଆଉ ଜଣେ ପ୍ରତିଷ୍ଠିତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଜି ସ୍ୱେଚ୍ଛାକୃତ ଅବସର ବା ଭିଆରଏସ୍ ପାଇଁ ଆବେଦନ କରିଛନ୍ତି। ୨୦୦୧ ବ୍ୟାଚର ଓଡ଼ିଶା କ୍ୟାଡ଼ର ଆର. ସନ୍ଥାନା ଗୋପାଳନ ସ୍ୱେଚ୍ଛାକୃତ ଅବସର ପାଇଁ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ବର୍ତ୍ତମାନ ସେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ବା ସିଇଓ ଭାବେ କାର୍ଯ୍ୟରତ ଅଛନ୍ତି। ଆର. ସନ୍ଥାନା ଗୋପାଳନଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର୍ ନିକଟରେ ଓଡ଼ିଶାରେ ଶେଷ ହୋଇଛି। ଦେଶରେ ଏସଆଇଆର୍ ଓ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ନେଇ ଚାଲିଥିବା ବିବାଦ ଭିତରେ ଆର. ସନ୍ଥାନା ଗୋପାଳନଙ୍କ ଭିଆରଏସ୍ ବିଭିନ୍ନ ଚର୍ଚ୍ଚାକୁ ଜନ୍ମ ଦେଇଛି।
ଭିଆରଏସ୍ ଆବେଦନ ପରେ ବରିଷ୍ଠ ଆଇଏଏସ୍ ଆର. ସନ୍ଥାନା ଗୋପାଳନ କହିଛନ୍ତି, “ବ୍ୟକ୍ତିଗତ କାରଣରୁ ମୁଁ ଭିଆରଏସ୍ ପାଇଁ ଆବେଦନ କରିଛି। କୌଣସି ଚାପ କିମ୍ବା ଅନ୍ୟାନ୍ୟ କୌଣସି କାରଣରୁ ମୁଁ ଏପରି ଆବେଦନ କରିନାହିଁ। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସଆଇଆର୍ ପ୍ରକ୍ରିୟା ସଫଳତାର ସହ କରିଛି। ଏଥିରେ କୌଣସି ପ୍ରକାର ତୃଟି କିମ୍ବା ଚାପ ଦିଆ ଯାଇନାହିଁ। ଏହା ମୋ ପାଇଁ ବଡ଼ ଉପଲବ୍ଧି। ଭିଆରଏସ୍ ପାଇଁ କିଛି ମାସ ତଳେ ନିଷ୍ପତ୍ତି ନେଇଥିଲି। ଏସଆଇଆର୍ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଭିଆରଏସ୍ ପାଇଁ ଆବେଦନ କରିଛି। ବିଗତ ୨୫ ବର୍ଷ ଧରି ଓଡ଼ିଶା ସରକାରଙ୍କ ଅଧୀନରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛି। ଓଡ଼ିଶାରେ ମୋ ଅଭିଜ୍ଞତା ଖୁବ୍ ଭଲ ରହିଛି।”
ଆର. ସନ୍ଥାନା ଗୋପାଳନ ୟୁପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷା ମାଧ୍ୟମରେ ସିଧାସଳଖ ନିଯୁକ୍ତି ପାଇ ଆଇଏଏସ୍ରେ ଯୋଗ ଦେଇଥିଲେ। ୨୫ ବର୍ଷରୁ ଅଧିକ ସେବା କାଳରେ ସେ ୧୬ଟି ସ୍ଥାନରେ ୨୦ଟି ପଦବୀରେ କାର୍ଯ୍ୟ କରିଛନ୍ତି। ପୂର୍ବତନ ଦାୟିତ୍ୱ ମଧ୍ୟରେ କଟକ ରେଭେନ୍ୟୁ ଡିଭିଜନର ରାଜସ୍ୱ ବିଭାଗୀୟ କମିଶନର (ଆରଡିସି), ଶ୍ରମ ଓ ଇଏସଆଇ ବିଭାଗର କମିଶନର-ତଥା-ସଚିବ ଆଦି ପଦବୀ ରହିଛି। ସେ କେନ୍ଦ୍ରୀୟ ଡେପୁଟେସନରେ ମଧ୍ୟ କାର୍ଯ୍ୟ କରିଛନ୍ତି।
ଗୋଟିଏ ପଦବୀରେ ତାଙ୍କର ସର୍ବାଧିକ ଦୀର୍ଘ କାର୍ଯ୍ୟକାଳ ହେଉଛି ୫ ବର୍ଷ ୬ ମାସ, ଯେତେବେଳେ ସେ ନିର୍ଦ୍ଦେଶକ, ମୃତ୍ତିକା ସଂରକ୍ଷଣ, ଓଡ଼ିଶା ଭାବେ କାର୍ଯ୍ୟ କରିଥିଲେ। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ବା ସିଇଓ ଭାବେ ସେ ୨୬ ଜୁଲାଇ ୨୦୨୪ରୁ କାର୍ଯ୍ୟ କରୁଛନ୍ତି। ଏହା ସହ ସେ ଅବକାରୀ କମିଶନର ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱରେ ଥିଲେ। ସିଭିଲ୍ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିଥିବା ଗୋପାଳନ ସେବା କାଳରେ ୫ରୁ ଊର୍ଦ୍ଧ୍ୱ ତାଲିମ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ କରିଛନ୍ତି।
