FeaturedLatestNews

ଓଡ଼ିଶାରୁ ମୌସୁମୀ ବିଦାୟ, ୩ ଦିନ ଶୁଖିଲା ପାଗ ପରେ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବାକୁ ଯାଉଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ରହିଛି। ଦେଶର ବିଭିନ୍ନ ଅଞ୍ଚଳରୁ ମଧ୍ୟ ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଜାରି ରହିଛି।

ଆଗାମୀ ୩ ଦିନ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କୌଣସି ଜିଲ୍ଲା ପାଇଁ ବର୍ଷା କିମ୍ବା ଅନ୍ୟ କୌଣସି ବଡ଼ ପାଣିପାଗ ଚେତାବନୀ ନାହିଁ। ବର୍ଷା କମିବା ସହ ଦିନର ତାପମାତ୍ରା ସାମାନ୍ୟ ବଢ଼ିପାରେ। କେତେକ ସ୍ଥାନରେ ଦିନ ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି।

ସେପଟେ ଦେଶରୁ ମଧ୍ୟ ମୌସୁମୀ ବାୟୁ ଦ୍ରୁତ ଗତିରେ ଫେରୁଛି। ଆଗାମୀ ୨୪ ଘଣ୍ଟାରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ସମେତ ଆଉ କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ହେବାର ଆକଳନ ରହିଛି।

ହେଲେ ଶୁଖିଲା ପାଗ ବେଶି ଦିନ ରହି ନପାରେ। ୭ କିମ୍ବା ୮ ତାରିଖ ବେଳକୁ ପଶ୍ଚିମା ଝଡ଼ର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୮ରୁ ୧୦ ତାରିଖ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ତେଣୁ ଦଶହରା ସମୟରେ କିଛି ଅଞ୍ଚଳରେ ବର୍ଷା ପୂଜା ମାହୋଲକୁ ପ୍ରଭାବିତ କରିପାରେ। ଏହାପରେ ନଜର ରହିବ ଆଣ୍ଡାମାନ ସାଗର ଉପରେ।

ଭାରତୀୟ ପାଣିପାଗ ବିଭାଗର ଦୀର୍ଘମିଆଦୀ ଆକଳନ ଅନୁସାରେ ୧୩ କିମ୍ବା ୧୪ ଅକ୍ଟୋବର ପାଖାପାଖି ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ପାଇଁ ପରିସ୍ଥିତି ତିଆରି ହୋଇପାରେ। ପରବର୍ତ୍ତୀ ସମୟରେ ଏହାର ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ଗଠନର ସମ୍ଭାବନା ରହିଛି। ତେବେ ଏବେଠାରୁ ଏହି ସମ୍ଭାବ୍ୟ ସିଷ୍ଟମର ଗତିପଥ କିମ୍ବା ଏହା କେତେ ଶକ୍ତିଶାଳୀ ହେବ, ସେନେଇ ସ୍ପଷ୍ଟ ଚିତ୍ର ମିଳିନାହିଁ। ଅକ୍ଟୋବର ୧୫ ପରେ ସିଷ୍ଟମର ସ୍ଥିତି ଓ ଗତିପଥ ସମ୍ପର୍କରେ ଅଧିକ ସ୍ପଷ୍ଟତା ଆସିପାରେ। ତେଣୁ ଏବେଠାରୁ ଏହାକୁ ବାତ୍ୟା ବୋଲି କହିବାର କୌଣସି ଆଧାର ନାହିଁ।

ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ ସାହୁଙ୍କ ଆକଳନ ଅନୁସାରେ, ସମ୍ଭାବ୍ୟ ସିଷ୍ଟମ୍ ପ୍ରଭାବରେ ବିଶେଷ କରି ଉପକୂଳ ଓଡ଼ିଶାରେ ବର୍ଷା ହୋଇପାରେ। ତେବେ ସିଷ୍ଟମ୍ ଗଠନ ହେବା ପରେ ହିଁ ବର୍ଷାର ପରିମାଣ ଓ କେଉଁ ଅଞ୍ଚଳ ଅଧିକ ପ୍ରଭାବିତ ହେବ, ତାହା ଅଧିକ ସ୍ପଷ୍ଟ ହେବ।

ଅନ୍ୟପଟେ ମୌସୁମୀ ବିଦାୟ ସହ ଓଡ଼ିଶାରେ ଧୀରେ ଧୀରେ ଶୀତର ଆଭାସ ମଧ୍ୟ ମିଳିବା ଆରମ୍ଭ ହୋଇଛି। କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଭଳି ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ତାପମାତ୍ରା କମିବା ସହ ସକାଳୁ କୁହୁଡ଼ି ଦେଖାଦେବା ଆରମ୍ଭ ହୋଇଛି। ସମ୍ଭାବ୍ୟ ଲଘୁଚାପ ପରବର୍ତ୍ତୀ ସମୟରେ ରାଜ୍ୟରେ ରାତି ତାପମାତ୍ରା ଆହୁରି ହ୍ରାସ ପାଇ ଶୀତର ପ୍ରଭାବ ବଢ଼ିପାରେ ବୋଲି ପାଣିପାଗ ବିଶେଷଜ୍ଞଙ୍କ ଆକଳନ ରହିଛି।

Leave a Reply

Your email address will not be published. Required fields are marked *