ମାଣତ୍ରୀ ଏସଏସଡି ବାଳିକା ହଷ୍ଟେଲରେ ଝାଡ଼ାବାନ୍ତି ଆତଙ୍କ: ୪୬ରୁ ଉର୍ଦ୍ଧ୍ୱ ଛାତ୍ରୀ ଅସୁସ୍ଥ
ବାରିପଦା(ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ମାଣତ୍ରୀ ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସଏସଡି) ବାଳିକା ହାଇସ୍କୁଲ ହଷ୍ଟେଲରେ ଏକ ଅଭାବନୀୟ ଘଟଣା ଘଟିଛି। ହଷ୍ଟେଲରେ ରହୁଥିବା ୪୬ରୁ ଉର୍ଦ୍ଧ୍ୱ ଛାତ୍ରୀ ହଠାତ୍ ଝାଡ଼ାବାନ୍ତି ଏବଂ ପେଟ ବ୍ୟଥାର ଶିକାର ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ହଷ୍ଟେଲରେ ରାତ୍ରିଭୋଜନ ସାରି ଶୋଇବା ପରେ ବିଳମ୍ବିତ ରାତିରୁ କିଛି ଛାତ୍ରୀଙ୍କଠାରେ ବାନ୍ତି, ଝାଡ଼ା ଓ ପେଟକଟା ଲକ୍ଷଣ ଦେଖାଦେଇଥିଲା। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୬ରୁ ଉର୍ଦ୍ଧ୍ୱରେ ପହଞ୍ଚିଥିଲା। ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସ ଏବଂ ଅନ୍ୟ ଗାଡ଼ି ଯୋଗେ ଅସୁସ୍ଥ ଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ମାଣତ୍ରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ସ୍ଥାନାଭାବ ଏବଂ ଗୁରୁତର ଥିବା କିଛି ଛାତ୍ରୀଙ୍କୁ ତୁରନ୍ତ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।
ଡାକ୍ତରଖାନାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଆକ୍ରାନ୍ତ ଛାତ୍ରୀମାନଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି। ବର୍ତ୍ତମାନ ସମସ୍ତ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଏବଂ ବିପଦମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି। ଖାଦ୍ୟ ବିଷକ୍ରିୟା (ଫୁଡ୍ ପଏଜନିଂ) କିମ୍ବା ଦୂଷିତ ପାନୀୟ ଜଳ ବ୍ୟବହାର ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ସନ୍ଦେହ କରାଯାଉଛି।
ଘଟଣା ସମ୍ପର୍କରେ ଖବର ପାଇ ମୟୂରଭଞ୍ଜ ଜିଲ୍ଲାପାଳ ତୁରନ୍ତ ଡାକ୍ତରଖାନାରେ ପହଞ୍ଚି ଅସୁସ୍ଥ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଜିଲ୍ଲାପାଳ ସିଧାସଳଖ ମାଣତ୍ରୀ ଏସଏସଡି ବାଳିକା ହଷ୍ଟେଲ ପରିଦର୍ଶନ କରି ରୋଷେଇ ଘର, ଡାଇନିଂ ହଲ୍ ଏବଂ ପାନୀୟ ଜଳ ବ୍ୟବସ୍ଥାର ତନଖି କରିଛନ୍ତି।
ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ହଷ୍ଟେଲରେ ଦିଆଯାଉଥିବା ଖାଦ୍ୟ ଓ ପାଣିର ନମୁନା ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କର୍ତ୍ତବ୍ୟରେ ଅବହେଳା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
