FeaturedLatestNewsPolitics

ପୁରୀରେ ବିଜେଡି ନେତାଙ୍କ ସହ ପାଣ୍ଡିଆନଙ୍କ ଫଟୋକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର (ସଂକେତ ଟିଭି): ସାଧାରଣ ନିର୍ବାଚନ ୨୦୨୪ରେ ବିଜେଡିର ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ସକ୍ରିୟ ହେଉଛନ୍ତି କି? ଶନିବାର ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବିଜେଡି ନେତାଙ୍କ ସହ ଫଟୋ ଉଠାଇବା ପରେ ଏଭଳି ପ୍ରଶ୍ନ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି। ରାଜ୍ୟରେ ନୂଆ ରାଜ୍ୟପାଳ ମହାପ୍ରଭୁଙ୍କ ଦର୍ଶନ ପରେ ପୁରୀରେ ପାଣ୍ଡିଆନଙ୍କ ଆବିର୍ଭାବ ଅନେକ ରାଜନୈତିକ ଚର୍ଚ୍ଚାକୁ ଜନ୍ମ ଦେଇଛି।

୨୦୨୪ ଜୁନ ମାସ ପରଠାରୁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହିଛନ୍ତି। କିନ୍ତୁ ପ୍ରଚ୍ଛଦପଟରେ ରହି ପାଣ୍ଡିଆନ ବିଜେଡିକୁ ପରିଚାଳନା କରୁଥିବା ବିଜେଡିର ଅନେକ ନେତା ଅତୀତରେ ଅଭିଯୋଗ କରିଛନ୍ତି। ପତ୍ନୀ ସୁଜାତାଙ୍କୁ ବିଜେଡି ରାଜନୀତିରେ ଏଣ୍ଟ୍ରି କରାଇବାରେ ପାଣ୍ଡିଆନଙ୍କ ହାତ ଥିବା କୁହାଯାଏ। ଦଳ ଭିତରେ ଓ ବାହାରେ ହେଉଥିବା ଏହି ଚର୍ଚ୍ଚାରେ ସତ୍ୟତା ଥିବା ଶନିବାର ପାଣ୍ଡିଆନଙ୍କ ପୁରୀ ଗସ୍ତରୁ ସ୍ପଷ୍ଟ ହେବାରେ ଲାଗିଛି।

ପାଣ୍ଡିଆନଙ୍କ ଏହି ଗସ୍ତ ସମୟରେ ବିଜେଡିର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଦଳର ଯୁବ ଓ ଛାତ୍ର ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ। ମହାପ୍ରଭୁଙ୍କ ଦର୍ଶନ ପରେ ସେ ସ୍ଥାନୀୟ ବିଜେଡି ନେତାଙ୍କ ସହ ଫଟୋ ଉଠାଇଥିଲେ। ତେବେ ଏହି ସମୟରେ ପୁରୀ ବିଧାୟକ ସୁନୀଲ ମହାନ୍ତିଙ୍କ ଅନୁପସ୍ଥିତି ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।

୨୦୨୪ ନିର୍ବାଚନ ପରେ ପାଣ୍ଡିଆନ ରାଜନୀତିରୁ ଅବସର ଘୋଷଣା କରିଥିଲେ। ଏହାପରଠାରୁ ବିଜେଡି ନେତାଙ୍କ ସହ ତାଙ୍କର ଏଭଳି ଖୋଲାଖୋଲି ଫଟୋ ସାମ୍ନାକୁ ଆସିନଥିଲା। ଏବେ ଶ୍ରୀମନ୍ଦିରରେ ଦର୍ଶନ ଏବଂ ଦଳୀୟ ନେତାଙ୍କ ସହ ତାଙ୍କର ସାକ୍ଷାତକୁ ନେଇ ରାଜନୈତିକ ମହଲରେ ନୂଆ ସମୀକରଣର ଆଲୋଚନା ଆରମ୍ଭ ହୋଇଛି। ବିଶେଷ କରି ସମ୍ପ୍ରତି ଛାତ୍ର ସଂସଦ ନିର୍ବାଚନରେ ବିଜେଡିର ଛାତ୍ର ସଂଗଠନର ପ୍ରଦର୍ଶନ ପରେ ପାଣ୍ଡିଆନଙ୍କ ଏହି ଉପସ୍ଥିତିକୁ ଅନେକ ଦିଗରୁ ଗୁରୁତ୍ୱ ବହନ କରୁଛି। ବିଜେଡିର ସାଂଗଠନିକ କାର୍ଯ୍ୟକଳାପରେ ସେ ପୁଣି ଭୂମିକା ନେବେ କି, ନା ଏହା କେବଳ ଏକ ଧାର୍ମିକ ଗସ୍ତ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ରାଜନୀତିକୁ ଫେରିବା ନେଇ ପାଣ୍ଡିଆନଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ ସୋସିଆଲ ମିଡିଆରେ ପାଣ୍ଡିଆନଙ୍କ ସହ ସାକ୍ଷାତ ସମ୍ପର୍କରେ ଲେଖିଛନ୍ତି, “ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଦର୍ଶନ କରିବା ପାଇଁ ଭି.କେ. ପାଣ୍ଡିଆନ ଶ୍ରୀମନ୍ଦିର ଆସିଥିବା ଅବସରରେ ସାକ୍ଷାତ କରିବା ସହ ସ୍ୱାଗତ ଜଣାଇଲୁ। ମହାପ୍ରଭୁଙ୍କ ପବିତ୍ର ଧାମରେ ଏହି ଆତ୍ମୀୟ ସାକ୍ଷାତ ଆମ ପାଇଁ ଏକ ନିଆରା ଅନୁଭୂତି। ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କୁ ତାଙ୍କର ଅପାର କରୁଣା ଓ ଆଶୀର୍ବାଦ ପ୍ରଦାନ କରନ୍ତୁ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ଭକ୍ତିଭାବରେ ପରିପୂର୍ଣ୍ଣ ହେଉ। ମହାପ୍ରଭୁଙ୍କ ଇଚ୍ଛା ହିଁ ସର୍ବୋପରି।”

ପାଣ୍ଡିଆନଙ୍କ ଏହି ଗସ୍ତ ଓ ଫଟୋକୁ ନେଇ ବିଜେଡିର ଆଗାମୀ ରାଜନୈତିକ ରଣନୀତି ସମ୍ପର୍କରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ପାଣ୍ଡିଆନଙ୍କର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ରାଜନୈତିକ ମହଲର ନଜର ରହିଛି।

Leave a Reply

Your email address will not be published. Required fields are marked *