ଚୀନ ନିର୍ମିତ ସାମଗ୍ରୀ ଗଣତନ୍ତ୍ରକୁ ଦୁର୍ବଳ କରୁଛି : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ (ସଂକେତ୍ ଟିଭି): ବର୍ଲିନ୍ ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ‘ମେଡ ଇନ ଚାଇନା’ ବା ଚୀନ ନିର୍ମିତ ସାମଗ୍ରୀ ଗଣତନ୍ତ୍ରକୁ ଦୁର୍ବଳ କରୁଛି ଏବଂ ନିଯୁକ୍ତି ସୃଷ୍ଟି କ୍ଷମତାକୁ ସଂକୁଚିତ କରୁଛି । ଜର୍ମାନୀର ବର୍ଲିନ୍ ର ହର୍ଟି ସ୍କୁଲରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ସେ ଏହି ମତ ରଖିଥିଲେ ।
ରାହୁଲ ଗାନ୍ଧୀ କହିଛନ୍ତି ଯେ ଭାରତ ଏବଂ ପଶ୍ଚିମ ଦେଶଗୁଡ଼ିକ ଉତ୍ପାଦନକୁ ଚୀନକୁ ହସ୍ତାନ୍ତର କରିଛନ୍ତି । ସେ କହନ୍ତି, “ପଶ୍ଚିମ ଦେଶ ଏବଂ କିଛି ପରିମାଣରେ ଭାରତ ଚୀନ୍କୁ ଉତ୍ପାଦନ ହସ୍ତାନ୍ତର କରିଛି । ଆଜି ଚୀନ୍ ଉତ୍ପାଦନରେ ପ୍ରାଧାନ୍ୟ ବିସ୍ତାର କରୁଛି, ଯାହାର ଅର୍ଥ ହେଉଛି ବହୁ ସଂଖ୍ୟକ ଲୋକଙ୍କୁ ନିଯୁକ୍ତି ଯୋଗାଇବା କଷ୍ଟକର ।”
ତାଙ୍କ ମତରେ, “ମେଡ୍ ଇନ୍ ଚାଇନା” ସାମଗ୍ରୀ ଗଣତନ୍ତ୍ରର ନିଯୁକ୍ତି ସୃଷ୍ଟି କରିବାର କ୍ଷମତାକୁ ଦୁର୍ବଳ କରିଛି, ଯାହା ଫଳରେ ଭାରତ, ଆମେରିକା ଏବଂ ୟୁରୋପରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି । ସେ ସେବା କ୍ଷେତ୍ର ଉପରେ ନିର୍ଭରଶୀଳତାକୁ ମଧ୍ୟ ଚିନ୍ତାର ବିଷୟ ବୋଲି କହିଛନ୍ତି ।
ଗଣତାନ୍ତ୍ରିକ ପରିବେଶରେ ଉତ୍ପାଦନ କ୍ଷମତା ବଜାୟ ରଖିବା ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ରାହୁଲ ଗାନ୍ଧୀ ପ୍ରଶ୍ନ ଛାଡ଼ିଛନ୍ତି ଯେ ଭାରତ, ଆମେରିକା ଏବଂ ୟୁରୋପ ଉତ୍ପାଦନ ପାଇଁ କି ପ୍ରକାରର ସହଭାଗୀତା ନିର୍ମାଣ କରିପାରିବେ । ସେ ସ୍ପଷ୍ଟ କରିଛନ୍ତି, “ଯଦି ଆମେ ଉତ୍ପାଦନ କରିପାରିବୁ ନାହିଁ, ତେବେ ଗଣତନ୍ତ୍ର ପାଇଁ ନିଜକୁ ବଜାୟ ରଖିବା ବହୁତ କଷ୍ଟକର ହେବ ।”
ସେ ଦାବି କରିଛନ୍ତି ଯେ ୟୁରୋପ, ଭାରତ ଏବଂ ଆମେରିକାର ଅଶାନ୍ତିର ଏକ ପ୍ରମୁଖ କାରଣ ହେଉଛି ନିଯୁକ୍ତି ସୃଷ୍ଟି କରିବାରେ ବିଫଳତା ଏବଂ ଚୀନକୁ ଉତ୍ପାଦନର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବରେ ହସ୍ତାନ୍ତର କରିବା ।
