ଗଛରେ ପିଟି ହେଲା ଟ୍ରାଭେଲର, ମାଛ ବୋଝେଇ ଟ୍ରକ୍କୁ ଧକ୍କା ଦେଲା ବସ୍: ୧ ମୃତ, ୨୧ ଆହତ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ୨ଟି ସ୍ଥାନରେ ଅଲଗା ଅଲଗା ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ପ୍ରଥମ ଦୁର୍ଘଟଣା: ୧୬ ନମ୍ବର ଜାତୀୟ ରାଜପଥ ମାଟିଆପଡ଼ା ନିକଟରେ ଏକ ଟ୍ରାଭେଲର୍ ନାଳକୁ ଖସି ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭୁବନେଶ୍ୱରସ୍ଥିତ ଡୁମ୍ଡୁମା ଅଞ୍ଚଳରୁ କିଛି ଲୋକ କଲିକତାରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେଇ ଟ୍ରାଭେଲର୍ ଗାଡ଼ିରେ ଫେରୁଥିବା ବେଳେ ଏହି ଘଟଣା ଘଟିଛି। ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଦୁର୍ଘଟଣାଟି ଘଟିଥିଲା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ଦ୍ୱିତୀୟ ଦୁର୍ଘଟଣା: ସେହିପରି ସିମୁଳିଆ ଥାନା ଅନ୍ତର୍ଗତ ଜାମୁଝାଡ଼ି ଓଭରବ୍ରିଜ ଉପରେ ଭୁବନେଶ୍ୱରରୁ ଟାଟା ଅଭିମୁଖେ ଯାଉଥିବା ‘ଶାନ୍ତିଲତା’ ଯାତ୍ରୀବାହୀ ବସ୍ ଏକ ମାଛ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା। ବସ୍ଟି ଦ୍ରୁତଗତିରେ ଯାଉଥିବା ବେଳେ ଟ୍ରକକୁ ଓଭରଟେକ୍ କରିବାକୁ ଯାଇ ପଛପଟୁ ଧକ୍କା ଦେଇଥିଲା। ଏଥିରେ ବସ୍ ଡ୍ରାଇଭର ଅଜଗର ଆଲାମଙ୍କ ସମେତ ୭ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସ୍ଟିରେ ମୋଟ ୪୨ ଜଣ ଯାତ୍ରୀ ଥିଲେ।
ତଦନ୍ତ: ହାଇୱେ ପୋଲିସ ଓ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
