FeaturedGeneralLatest

ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀଙ୍କ ଶପଥ ଗ୍ରହଣ

ପାଟନା (ସଂକେତ ଟିଭି): ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ ଶପଥ ଗ୍ରହଣ କରିଛନ୍ତି। ପାଟନା ସ୍ଥିତ ଲୋକଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ସୟୈଦ ଅତା ହସନୈନ ମୁଖ୍ୟମନ୍ତ୍ରୀ ଭାବେ ସମ୍ରାଟ ଚୌଧୁରୀ, ଡେପୁଟି ସିଏମ ଭାବେ ବିଜୟ ଚୌଧୁରୀ ଓ ବିଜେନ୍ଦ୍ର ପ୍ରସାଦ ଯାଦବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ନୀତିଶ କୁମାର ସରକାରରେ ସମ୍ରାଟ ଚୌଧୁରୀ ଡେପୁଟି ସିଏମ ଭାବେ କାର୍ଯ୍ୟ କରୁଥିଲେ। ମଙ୍ଗଳବାର ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜେପି ବିଧାୟକ ଦଳ ବୈଠକରେ ସମ୍ରାଟ ଚୌଧୁରୀଙ୍କୁ ନେତା ଭାବେ ଚୟନ କରାଯାଇଥିଲା।

ଗତ ୨୦୦୫ ମସିହାରୁ ଏନଡିଏର ସହଯୋଗୀ ଭାବେ ବିଜେପି ସରକାର ଗଠନ କରି ଆସୁଛି। ସେହିପରି ୨୦୧୩ରୁ ୨୦୧୭ ଏବଂ ୨୦୨୨ରୁ ୨୦୨୪ ମଧ୍ୟରେ ମଧ୍ୟ ବିଜେପି ଏନଡିଏ ସହଯୋଗରେ ସରକାର ଗଠନ କରିଛି। ଜେଡିୟୁର ଦୁଇ ବରିଷ୍ଠ ନେତା ବିଜୟ କୁମାର ଚୌଧୁରୀ ଓ ବିଜେନ୍ଦ୍ର ପ୍ରସାଦ ଯାଦବ ଡେପୁଟି ସିଏମ ଭାବେ ଶପଥ ନେଇଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ଡେପୁଟି ସିଏମ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଅଭିଜ୍ଞତା କମ୍ ଥିବାରୁ ସେ ଏହି ଦାୟିତ୍ୱ ତୁଲାଇବାକୁ ମନା କରିଥିବା ଜେଡିୟୁ ସୂତ୍ରରୁ ଜଣାପଡିଛି।

ସମ୍ରାଟଙ୍କ ଶପଥ ଗ୍ରହଣ ସମାରୋହରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପହଞ୍ଚିଥିଲେ। ଲୋକଭବନରେ ପୂର୍ବତନ ସରକାରଙ୍କ ବହୁ ନେତା ଏବଂ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଓ ଜାତୀୟ ସଙ୍ଗୀତରୁ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିଲା। ବିହାର ମୁଖ୍ୟ ଶାସନ ସଚିବ ପ୍ରତ୍ୟାୟ ଅମ୍ରିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ନୀତିଶଙ୍କ ସହ ଜେଡିୟୁର ବରିଷ୍ଠ ନେତାମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେହିପରି ବିଜେପି ରାଜ୍ୟ ସଭାପତି ନୀତିନ ନବୀନ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଜାତୀୟ ସାଧାରଣ ସମ୍ପାଦକ (ସାଂଗଠନିକ) ବି.ଏଲ. ସନ୍ତୋଷ, ଜାତୀୟ ସାଧାରଣ ସମ୍ପାଦକ ତଥା ପ୍ରଭାରୀ ବିନୋଦ ତାୱଡେ, ବିହାର ରାଜ୍ୟ ୟୁନିଟ ସଭାପତି ସଞ୍ଜୟ ସରୋଗୀ ପ୍ରମୁଖ ଶପଥ ଗ୍ରହଣ ଉତ୍ସବରେ ଭାଗ ନେଇଥିଲେ।

ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ବିହାରର ୩୩ ଟି କ୍ୟାବିନେଟ୍ ପଦ ଖାଲି ପଡିଛି। ପଶ୍ଚିମବଙ୍ଗ ଓ ତାମିଲନାଡୁ ନିର୍ବାଚନ ପରେ ପରବର୍ତ୍ତୀ ସଂପ୍ରସାରଣ କରାଯିବ। ମେ ମାସରେ ଅନ୍ୟ ମନ୍ତ୍ରୀମାନେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।

ବିହାରରେ ବିଜେପି, ଜେଡି(ୟୁ), ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ), ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ସେକ୍ୟୁଲାର) ଓ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ଏନଡିଏର ସହଯୋଗୀ ଭାବେ ରହିଛନ୍ତି। କ୍ୟାବିନେଟ୍ ଗଠନକୁ ନେଇ ସେମାନଙ୍କର ନେତାମାନେ ଆଗାମୀ ଦିନରେ ଆଲୋଚନା କରିବେ।

ଭାରତ ସମ୍ବିଧାନର ଅନୁଚ୍ଛେଦ ୧୬୪ (୧କ) ଅନୁସାରେ କୌଣସି ରାଜ୍ୟର ମନ୍ତ୍ରୀ ପରିଷଦର ଆକାର ବିଧାନସଭାର ସର୍ବମୋଟ ସଦସ୍ୟ ସଂଖ୍ୟାର ୧୫ ପ୍ରତିଶତ ପର୍ଯ୍ୟନ୍ତ ସୀମିତ ରହିଥାଏ। ଏହି ନିୟମ ଅନୁସାରେ ବିହାରର ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ସର୍ବାଧିକ ୩୬ ଜଣ ମନ୍ତ୍ରୀ ରହିପାରିବେ।

୧୯୯୦ ମସିହାରେ ସମ୍ରାଟ ଚୌଧୁରୀ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ପ୍ରଥମ ଥର ରାବ୍ରୀ ଦେବୀଙ୍କ ସରକାରରେ ସେ ୧୯୯୯ ମସିହାରେ କୃଷି ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। କିନ୍ତୁ ସେ ସେତେବେଳେ କୌଣସି ବିଧାନସଭା କିମ୍ବା ଲୋକସଭାର ସଦସ୍ୟ ନଥିଲେ ଏବଂ କମ୍ ବୟସ ହେତୁ ତାଙ୍କୁ ପଦ ଛାଡିବାକୁ ପଡିଥିଲା।

୨୦୧୪ ମସିହାରେ ନୀତିଶ ସରକାରରେ ସେ ସହର ବିକାଶ ଓ ଆବାସ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୨୧ ମସିହାରେ ପଞ୍ଚାୟତରାଜ ମନ୍ତ୍ରୀ ଏବଂ ୨୦୨୪ ମସିହାରେ ଏନଡିଏ ସରକାରରେ ଡେପୁଟି ସିଏମ ଭାବେ ଶପଥ ନେଇଥିଲେ। ଏବେ ସେ ବିହାରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି।