ସୁପ୍ରିମକୋର୍ଟଙ୍କ ଝଟକା: ପୱନ ଖେରାଙ୍କ ଆଗୁଆ ଜାମିନ ଉପରେ ରୋକ୍
ନୂଆଦିଲ୍ଲୀ(ସଂକେତ ଟିଭି): କଂଗ୍ରେସ ନେତା ପୱନ ଖେରାଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ୱାରା ଖେରାଙ୍କୁ ଦିଆଯାଇଥିବା ଆଗୁଆ ଜାମିନ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଏହି ମାମଲା ଆସାମ ପୁଲିସ ଦ୍ୱାରା ଦାୟର କରାଯାଇଥିବା ଏକ ଏଫ୍ଆଇଆର୍ ସହିତ ଜଡିତ। ଏହି ଏଫ୍ଆଇଆର୍ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ରିଙ୍କି ଭୂୟାଁ ଶର୍ମା ଦାୟର କରିଥିଲେ।
୫ ଏପ୍ରିଲରେ ପବନ ଖେରା ରିଙ୍କି ଭୂୟାଁ ଶର୍ମାଙ୍କ ଉପରେ ତିନୋଟି ଭିନ୍ନ ଦେଶର ପାସପୋର୍ଟ ରଖିବାର ଅଭିଯୋଗ ଆଣିଥିଲେ। ଜଷ୍ଟିସ ଜେ.କେ. ମାହେଶ୍ୱରୀ ଏବଂ ଜଷ୍ଟିସ ଏ.ଏସ. ଚାନ୍ଦୁରକରଙ୍କ ଖଣ୍ଡପୀଠ ପୱନ ଖେରା ଏବଂ ଅନ୍ୟମାନଙ୍କ ପାଇଁ ନୋଟିସ୍ ଜାରି କରି ସେମାନଙ୍କ ଜବାବ ମାଗିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ତିନି ସପ୍ତାହ ପରେ ହେବ।
ତେଲେଙ୍ଗାନା ହାଇକୋର୍ଟର ଆଦେଶକୁ ଚ୍ୟାଲେଞ୍ଜ କରି ଆସାମ ସରକାରଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନ ଉପରେ ନୋଟିସ୍ ଜାରି କରି ସୁପ୍ରିମକୋର୍ଟ ଏହି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଲାଗୁ କରିଛନ୍ତି। ଆସାମ ସରକାରଙ୍କ ପକ୍ଷରୁ ଉପସ୍ଥିତ ରହି ଭାରତର ସୋଲିସିଟର ଜେନେରାଲ ତୁଷାର ମେହେଟା ଯୁକ୍ତି ଦେଇଥିଲେ ଯେ, ପୱନ ଖେରାଙ୍କ ଆବେଦନରେ ତେଲେଙ୍ଗାନାରେ କିପରି ଅଧିକାର କ୍ଷେତ୍ର ସୃଷ୍ଟି ହେଲା ତାହା ଉଲ୍ଲେଖ କରାଯାଇ ନାହିଁ। ମେହେଟା ଏହା ମଧ୍ୟ ଯୁକ୍ତି ଦେଇଥିଲେ, ହାଇକୋର୍ଟ ଏହି ସତ୍ୟକୁ ଅଣଦେଖା କରିଛନ୍ତି ଯେ, ଏହି ଅପରାଧଗୁଡ଼ିକ ମଧ୍ୟରୁ ଗୋଟିଏରେ ସର୍ବାଧିକ ୧୦ ବର୍ଷ ଜେଲଦଣ୍ଡ ହୋଇପାରେ।
ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତି, ଶୁଣାଣି ସମୟରେ ପୱନ ଖେରାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ନୋଟ୍ରେ କୁହାଯାଇଛି ଯେ, ତାଙ୍କ ପତ୍ନୀ ହାଇଦ୍ରାବାଦରେ ରୁହନ୍ତି। ତଥାପି, ସୋଲିସିଟର ଜେନେରାଲ ଏହାର ପ୍ରତିବାଦ କରି ଯୁକ୍ତି ଦେଇଥିଲେ ଯେ ତାଙ୍କ ପତ୍ନୀଙ୍କ ଆଧାର କାର୍ଡ ତାଙ୍କୁ ଦିଲ୍ଲୀର ବାସିନ୍ଦା ବୋଲି ଦର୍ଶାଉଛି। ସୋଲିସିଟର ଜେନେରାଲ ଯୁକ୍ତି ଦେଇଥିଲେ ଯେ ଯଦି ଏହା ସତ୍ୟ ହୋଇଥାଏ, ତେବେ ଯେକେହି ଦେଶର ଯେକୌଣସି ସ୍ଥାନରୁ ସମ୍ପତ୍ତି କିଣିପାରିବେ ଏବଂ ନିଜ ପସନ୍ଦର ଯେକୌଣସି ସ୍ଥାନରୁ ଆଗୁଆ ଜାମିନ୍ ଲୋଡିପାରିବେ। ସେ ଏହାକୁ ଫୋରମ୍-ସପିଂ ବୋଲି କହିଥିଲେ।
ସେ ସୂଚିତ କରିଥିଲେ ଯେ, ପ୍ରିୟା ଇଣ୍ଡୋରିଆ ମାମଲାରେ ସୁପ୍ରିମକୋର୍ଟ ନିଜ ରାୟରେ ଏପରି କାର୍ଯ୍ୟକୁ ଭୁଲ୍ ବୋଲି ଦର୍ଶାଇଥିଲେ। ଏହା ପ୍ରକ୍ରିୟାର ସମ୍ପୂର୍ଣ୍ଣ ଅପବ୍ୟବହାର। ସେ କାହିଁକି ଆସାମ ଯାଇପାରିବେ ନାହିଁ ତାହା ସେ ସ୍ପଷ୍ଟ କରିନାହାନ୍ତି। ଆବେଦନରେ ପୱନ ଏହା ମଧ୍ୟ କହିନାହାନ୍ତି ଯେ ତାଙ୍କ ପତ୍ନୀ ହାଇଦ୍ରାବାଦରେ କୌଣସି ସମ୍ପତ୍ତିର ମାଲିକ କି ନାହିଁ। ତେଲେଙ୍ଗାନା ହାଇକୋର୍ଟଙ୍କ ଆଦେଶ ନେଇ ସୁପ୍ରିମକୋର୍ଟ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି। ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତି, ପବନ ଖେରା ତାଙ୍କ ଆଗୁଆ ଜାମିନକୁ ବୃଦ୍ଧି କରିବା ପାଇଁ ଏକ ଆବେଦନ ଦାଖଲ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଏପ୍ରିଲ ୧୦ ତାରିଖରେ ତେଲେଙ୍ଗାନା ହାଇକୋର୍ଟ ପୱନ ଖେରାଙ୍କୁ କିଛି ସର୍ତ୍ତ ସହିତ ଗୋଟିଏ ସପ୍ତାହର ଟ୍ରାଞ୍ଜିଟ୍ ଆଟିସିପେଟୋରୀ ଜାମିନ ପ୍ରଦାନ କରିଥିଲେ। ଗୁଆହାଟୀ କ୍ରାଇମ୍ ବ୍ରାଞ୍ଚ ପୁଲିସ ଷ୍ଟେସନରେ ରୁଜୁ ହୋଇଥିବା ଏକ ଏଫ୍ଆଇଆର୍ରୁ ଖେରାଙ୍କ ବିରୋଧରେ ମାମଲା ଆରମ୍ଭ ହୋଇଥିଲା। ଏପ୍ରିଲ ୫ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ଖେରାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ଆଧାରରେ ଏହି ଏଫ୍ଆଇଆର୍ ରୁଜୁ କରାଯାଇଥିଲା। ସେ ଦାବି କରିଥିଲେ ଯେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀ ରିନିକି ଭୂୟାଁ ଶର୍ମାଙ୍କ ପାଖରେ ଅନେକ ଦେଶର ପାସପୋର୍ଟ ରହିଛି ଏବଂ ବିଦେଶରେ ସମ୍ପତ୍ତି ଅଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ତାଙ୍କ ନିର୍ବାଚନୀ ସତ୍ୟପାଠରେ ଏହି ତଥ୍ୟ ପ୍ରକାଶ କରି ନଥିଲେ।
