୭୦ ଲକ୍ଷ ଟଙ୍କା ଠକେଇ ମାମଲା: ଭଦ୍ରକରେ ଅପହରଣ ଉଦ୍ୟମ, ୩ ଗିରଫ
ଭଦ୍ରକ(ସଂକେତ ଟିଭି): ଟଙ୍କା ସୁଝି ନ ପାରିବାରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଭଦ୍ରକ ଟାଉନ ଥାନା ଅଧୀନସ୍ଥ ପୋଷ୍ଟ ଅଫିସ ଛକ ନିକଟରୁ ୫ ଜଣ ଯୁବକ ତାଙ୍କୁ ଏକ ବୋଲେରୋ ଗାଡ଼ିରେ ଉଠାଇ ନେଇଥିଲେ।
ତେବେ ଖବର ପାଇ ଟାଉନ ପୋଲିସ ଗାଡ଼ିକୁ ପିଛା କରି ବାରିକପୁର ଛକରୁ ଯୁବକଙ୍କୁ ଉଦ୍ଧାର କରିଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଥାନାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଜଣାପଡ଼ିଛି ଯେ ଅପହରଣକାରୀମାନେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରୁ ଆସିଥିଲେ।
କଟକ ଜିଲ୍ଲା ତିଗିରିଆ ପାଞ୍ଚାପଡ଼ା ଅଞ୍ଚଳର ପ୍ରସନ୍ନ ପ୍ରଧାନ ନାମକ ଯୁବକ ଜଣକ ଭଦ୍ରକ ସହରାଞ୍ଚଳ ଥାନା କୁଆଁସରେ ଭଡ଼ାରେ ରହୁଥିଲେ। ସେ ବ୍ରହ୍ମପୁର ଅଞ୍ଚଳର କେତେକ ଲୋକଙ୍କଠାରୁ କାଜୁ ଚାଷ କରିବା ପାଇଁ ଟଙ୍କା ଧାର ନେଇଥିଲେ, କିନ୍ତୁ ସୁଝି ପାରି ନଥିଲେ।
ଏଥିରେ ଉତ୍କ୍ଷିପ୍ତ ହୋଇ ବ୍ରହ୍ମପୁରର କିଛି ଯୁବକ ଭଦ୍ରକ ଆସି ତାଙ୍କୁ ଅପହରଣ କରିବାର ଯୋଜନା କରିଥିଲେ। ସେମାନେ ଏକ ବୋଲେରୋ ଗାଡ଼ିରେ ଆସି ପୋଷ୍ଟ ଅଫିସ ଛକରେ ପ୍ରସନ୍ନ ପ୍ରଧାନ ସଉଦା ନେଉଥିବା ସମୟରେ ତାଙ୍କୁ ଗାଡ଼ିରେ ବସାଇ ନେଇଯାଉଥିଲେ। ପୋଲିସ ଖବର ପାଇ ତାଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ଗୋଡ଼ାଇ ଗୋଡ଼ାଇ ବୋଲେରୋ ଗାଡ଼ିକୁ ଧରିବା ସହ ଯୁବକଙ୍କୁ ଉଦ୍ଧାର କରିଥିଲା। ପୂର୍ବରୁ ଗଞ୍ଜାମର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ହତ୍ୟା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ଏଭଳି ଆଉ ଏକ ଫିଲ୍ମ ଷ୍ଟାଇଲ୍ କିଡନାପ୍ ଉଦ୍ୟମ ଘଟିଛି।
ଯୁବକଙ୍କ ଜୋତା ଓ ପନିପରିବା ଘଟଣାସ୍ଥଳରେ ପଡ଼ିରହିଥିଲା। ଭଦ୍ରକ ସହରାଞ୍ଚଳ ଥାନାଧିକାରୀ ପ୍ରଭାନସୁ ମିଶ୍ରଙ୍କ ନେତୃତ୍ୱରେ ଟିମ୍ ନାକାବନ୍ଦୀ କରି ଗାଡ଼ିକୁ ଅଟକ ରଖି ୩ ଜଣ ଅପହରଣକାରୀଙ୍କୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ କାଜୁ ବ୍ୟବସାୟରେ ୭୦ ଲକ୍ଷ ଟଙ୍କା ଠକେଇ ନେଇ ଏହି ଅପହରଣ ହୋଇଥିବା ଜଣାପଡ଼ିଛି।
