FeaturedLatestNews

ପରକୀୟା ପ୍ରୀତି ହେଲା କାଳ: ଯୁବକଙ୍କୁ ଅପହରଣ ପରେ ହତ୍ୟା

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବରହମପୁର ଥାନା କେସିପୁର ପଞ୍ଚାୟତ ଜାମୁନା ଅଞ୍ଚଳରେ ଏକ ଚିନାହିଁ ଘଟଣା ଘଟିଛି। ପରକୀୟା ପ୍ରୀତି ଯୋଗୁଁ ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା କରାଯାଇ ମାଟିରେ ପୋତି ଦିଆଯାଇଥିଲା। ମୃତକ ହେଲେ ସେହି ଗ୍ରାମର ବୀରେନ୍ଦ୍ର ବେହେରା (୩୦)।

ଘଟଣାର ସୂତ୍ର ଅନୁଯାୟୀ, ବୀରେନ୍ଦ୍ରଙ୍କ ସ୍ତ୍ରୀ ସାବିତ୍ରୀ ବରହମପୁର ଥାନାରେ ଗତ ମାସ ୩୧ ତାରିଖରେ (୩୧/୦୫/୨୦୨୬) ଲିଖିତ ଅଭିଯୋଗ କରିଥିଲେ ଯେ ତାଙ୍କ ସ୍ୱାମୀ ଅପହୃତ ହୋଇଛନ୍ତି। ସେ କହିଛନ୍ତି ଯେ, ଗବପାଳ ଗ୍ରାମର ବିରେନ୍ ମଢେଇ ନାମକ ଯୁବକଙ୍କ ସହ ବୀରେନ୍ଦ୍ରଙ୍କର ଭଲ ବନ୍ଧୁତା ଥିଲା। କିନ୍ତୁ ବିରେନ୍ ମଢେଇଙ୍କ ସ୍ତ୍ରୀଙ୍କ ସହ ବୀରେନ୍ଦ୍ରଙ୍କ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହେବାରୁ ଏହି ବିରୋଧ ଘଟିଥିଲା।

ପୂର୍ବରୁ ଗ୍ରାମର ସରପଞ୍ଚ ଓ ଭଦ୍ରଲୋକଙ୍କ ସାମ୍ନାରେ ଏହି ବିବାଦର ସମାଧାନ କରାଯାଇଥିଲା ଏବଂ ବୀରେନ୍ଦ୍ର ଅଦାଲତ ପେପର ମାଧ୍ୟମରେ ୫୦ ହଜାର ଟଙ୍କା ପୈଠ କରିଥିଲେ। ତଥାପି ବିରେନ୍ ମଢେଇ ବାରମ୍ବାର ବୀରେନ୍ଦ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ।

ଗତ ମାସ ୨୫ ତାରିଖରେ (୨୫/୦୫/୨୦୨୬) ଏକ ଫୋନ୍ କଲ୍ରେ ବୀରେନ୍ଦ୍ରଙ୍କୁ ଡମ୍ପର ଚଳାଇବା ପାଇଁ କପ୍ତିପଦାକୁ ଡକାଯାଇଥିଲା। ସେ ଘରୁ ବାହାରି ଯାଉଥିବା ବେଳେ ଜାମୁନା ଛକରୁ ତାଙ୍କୁ ବାଇକ୍ରେ ଅପହରଣ କରିନେଇଥିଲେ। ଘରକୁ ନ ଫେରିବାରୁ ବୀରେନ୍ଦ୍ରଙ୍କ ଭାଇ ଥାନାରେ ଅଭିଯୋଗ କରିଥିଲେ। ପରେ ସାବିତ୍ରୀ ମେ’ ୩୧ରେ ଲିଖିତ ଅଭିଯୋଗ କରିଥିଲେ।

ବରହମପୁର ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ବିରେନ୍ ମଢେଇକୁ ଅଟକ ରଖି ପଚରା ଉଚୁରା କରିବାରୁ ସେ ହତ୍ୟା ସ୍ୱୀକାର କରିଥିଲା। ଅଭିଯୁକ୍ତଙ୍କ ସୂଚନା ଅନୁଯାୟୀ, ସେ ବୀରେନ୍ଦ୍ରଙ୍କୁ ହତ୍ୟା କରି ମୟୁରଭଞ୍ଜ ଜିଲ୍ଲା ଉଦଳା ନିକଟ ନାଗପାଳ ଦେବକୁଣ୍ଡର ଏକ ନିଛାଟିଆ ରାସ୍ତାରେ ମାଟି ଖୋଳି ପୋତି ଦେଇଥିଲା।

ନୀଳଗିରି ଏସ୍ଡିପିଓ, ବରହମପୁର ଥାନା ଅଧିକାରିଣୀ, ବାଲେଶ୍ଵର ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଘଟଣାସ୍ଥଳରେ ମାଟି ଖୋଳି ୨୦ ଦିନ ପରେ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ଅଭିଯୁକ୍ତର ସିନ୍ ରିକ୍ରିଏସନ୍ ମଧ୍ୟ କରିଛି। ଏହି ହତ୍ୟାକାଣ୍ଡରେ ପରକୀୟା ପ୍ରୀତି ହିଁ ମୂଳ କାରଣ ବୋଲି କୁହାଯାଉଛି।