୧୩ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲା: ୩ ଅଟକ
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୧୩ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପିଡ଼ିତା ନାବାଳିକା ଥିବାରୁ ପୋକ୍ସୋ ଆଇନରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ରାଇରଙ୍ଗପୁର ପୋଲିସ ୩ ଜଣଙ୍କୁ ଅଟକ ରଖିଛି। ପିଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି ଏବଂ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି।
ପ୍ରାଥମିକ ଅଭିଯୋଗରେ ପରିବାର ଲୋକେ ଗଣଦୁଷ୍କର୍ମ ହୋଇଥିବା କହିଥିଲେ। କିନ୍ତୁ ଅତିରିକ୍ତ ଏସପି ଦୀପକ କୁମାର ଗୋଚ୍ଛାୟତ ତଦନ୍ତ ପରେ ସ୍ପଷ୍ଟ କରିଛନ୍ତି ଯେ ଏହା ଗଣଦୁଷ୍କର୍ମ ନୁହେଁ, ବରଂ ପୁରୁଷ ବନ୍ଧୁ ଦୁଷ୍କର୍ମ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏସକେ ମକବୁଲ ନାମକ ପୁରୁଷ ବନ୍ଧୁ ଦୁଷ୍କର୍ମ କରିଥିଲା। ଘଟଣାରେ ସମ୍ପୃକ୍ତ ୩ ଜଣ ସାଙ୍ଗକୁ ଅଟକ ରଖାଯାଇଥିବା ବେଳେ ବ୍ୟବହୃତ ମୋଟରସାଇକେଲ ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଓ ସାହାଯ୍ୟ କରିଥିବା ଆଉ ଜଣେ ବନ୍ଧୁ ଫେରାର ଅଛନ୍ତି।
ଘଟଣାର ବିବରଣୀ ଅନୁଯାୟୀ, ପିଡ଼ିତା ଓ ତାଙ୍କ ବଡ଼ ଭଉଣୀଙ୍କୁ ପୁରୁଷ ବନ୍ଧୁମାନେ ଦୁଇଟି ବାଇକରେ ବୁଲିବାକୁ ନେଇଥିଲେ। ବଡ଼ ଭଉଣୀ ଓ ତାଙ୍କ ସାଙ୍ଗମାନେ ଗୋଟିଏ ସ୍ଥାନରେ କଥା ହେଉଥିବାବେଳେ ପିଡ଼ିତା ଅଭିଯୁକ୍ତ ସହ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ସେମାନେ ଦୀର୍ଘ ସମୟ ଧରି ନ ଫେରିବାରୁ ବଡ଼ ଭଉଣୀ ଓ ବନ୍ଧୁମାନେ ଘରକୁ ଫେରିଯାଇଥିଲେ। ରାତି ପ୍ରାୟ ୮ ଟାରେ ଅଭିଯୁକ୍ତ ପିଡ଼ିତାଙ୍କୁ ଗାଁରେ ଛାଡ଼ି ଚାଲିଯାଇଥିଲା। ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
