BusinessFeaturedGeneralLatest

ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା ଓ ଡିଜେଲ ୨ ଟଙ୍କା ୭୧ ପଇସା ଦରବୃଦ୍ଧି

ନୂଆଦିଲ୍ଲୀ(ସଂକେତ ଟିଭି): ସୋମବାର ତେଲ କମ୍ପାନିଗୁଡ଼ିକ ଚତୁର୍ଥ ଥର ପାଇଁ ତେଲ ଦର ବଢ଼ାଇଛନ୍ତି। ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା ଓ ଡିଜେଲ ୨ ଟଙ୍କା ୭୧ ପଇସା ବଢ଼ିଛି। ଏହି ଚାରି ଥରରେ ଭୁବନେଶ୍ବରରେ ପେଟ୍ରୋଲ ଦର ୧୧୦ ଟଙ୍କା ପାଖାପାଖି ବୃଦ୍ଧି ପାଇଛି ଓ ଡିଜେଲ ଦର ୧୦୦ ଟଙ୍କାରୁ ଅଧିକ ହୋଇଛି।

ସୋମବାରର ଦରବୃଦ୍ଧି ପରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୧୦୯ ଟଙ୍କା ୧୬ ପଇସା ଓ ଡିଜେଲ ୧୦୦ ଟଙ୍କା ୮୧ ପଇସାକୁ ବୃଦ୍ଧି ପାଇଛି। ପ୍ରିମିୟମ୍ ପେଟ୍ରୋଲ ଲିଟର ୧୧୮ ଟଙ୍କା ୨୭ ପଇସା ରହିଛି।

ପୂର୍ବରୁ ଚଳିତ ମାସ ୧୫ ତାରିଖରେ ପେଟ୍ରୋଲ ଦର ୩ ଟଙ୍କା ୨୨ ପଇସା ଓ ଡିଜେଲ ୨ ଟଙ୍କା ୧୯ ପଇସା ବଢ଼ିଥିଲା। ମେ ୧୯ରେ ପେଟ୍ରୋଲ ୯୦ ପଇସା ଓ ଡିଜେଲ ୯୬ ପଇସା ବଢ଼ିଥିଲା। ଏହାପରେ ମେ ୨୩ରେ ପେଟ୍ରୋଲ ୮୭ ପଇସା ଓ ଡିଜେଲ ୯୧ ପଇସା ବଢ଼ିଥିଲା। ଏହି ଚାରି ଥରରେ ପେଟ୍ରୋଲ ଲିଟର ପିଛା ୭ ଟଙ୍କା ୬୦ ପଇସା ଓ ଡିଜେଲ ୭ ଟଙ୍କା ୭୭ ପଇସା ମହଙ୍ଗା ହୋଇଛି।

ଇରାନ ଯୁଦ୍ଧ ପ୍ରଭାବରେ ଅଶୋଧିତ ତେଲ ଦର ୧୦୦ ଡଲାରରୁ ଅଧିକ ରହିବା ଓ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୯୬ ଟଙ୍କା ଉପରେ ରହିବାରୁ ଦେଶକୁ ଆମଦାନି କରାଯାଉଥିବା ତେଲ ମହଙ୍ଗା ହୋଇଛି। ତାହା ତେଲ କମ୍ପାନିଗୁଡ଼ିକର କ୍ଷତି ଅସହ୍ୟ ସ୍ତରକୁ ନେଇ ଯାଇଥିଲା। ସେମାନେ ଦିନକୁ ୧୦୦୦ କୋଟି ଟଙ୍କା ହରାଉଥିଲେ।

ଦେଶରେ ଚାରିଟି ଗୁରୁତ୍ବପୂର୍ଣ୍ଣ ରାଜ୍ୟର ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର କିଛି ଦିନ ପରେ ସରକାର ତେଲ କମ୍ପାନିଗୁଡ଼ିକୁ ଦର ବଢ଼ାଇବାର ଅନୁମତି ଦେଇଥିଲେ। ତାପରଠାରୁ ସେମାନେ ନିୟମିତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ାଉଛନ୍ତି।

ପେଟ୍ରୋଲ ଦର ବୃଦ୍ଧି କେବଳ କାର୍ ଓ ଦୁଇଚକିଆ ଯାନରେ ଯାତାୟାତ କରୁଥିବା ଲୋକମାନଙ୍କୁ ପ୍ରଭାବିତ କରିଛି। କିନ୍ତୁ ଡିଜେଲ ଦରରେ ହେଉଥିବା ବୃଦ୍ଧି ସମଗ୍ର ଅର୍ଥନୀତିକୁ ପ୍ରଭାବିତ କରିବା କ୍ଷମତା ରଖିଛି। ତାହାର ସବୁଠୁ ବଡ଼ ପ୍ରଭାବ ପରିବହନ ଓ ଗମନାଗମନ କ୍ଷେତ୍ର ଉପରେ ରହିଛି। ଟ୍ରକ୍, ବସ୍, ଅଟୋଠାରୁ ଆରମ୍ଭ କରି ଡିଜେଲ ଜେନେରେଟର ସେଟ୍ ପର୍ଯ୍ୟନ୍ତ ସବୁଥିରେ ଡିଜେଲ ବ୍ୟବହାର ହେଉଛି। ଏପରିକି ବିଭିନ୍ନ ଚାଷ ଉପକରଣରେ ମଧ୍ୟ ଡିଜେଲ ପଡ଼ୁଛି।

ଡିଜେଲ ଦରବୃଦ୍ଧି ଯୋଗୁଁ ପୂର୍ବରୁ ବସ୍ ଭଡ଼ାରେ ବୃଦ୍ଧି ହୋଇସାରିଛି। ଏବେ ନିୟମିତ ବ୍ୟବଧାନରେ ଯେଉଁଭଳି ଭାବେ ଦର ବଢ଼ୁଛି ତାହା ଆଗାମୀ ଦିନରେ ପନିପରିବା, ଡାଲି, ଚାଉଳ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପ୍ରାୟ ସବୁ ପ୍ରକାର ଜିନିଷ ଦରବୃଦ୍ଧିର କାରଣ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ତେଲ ଦରରେ ବୃଦ୍ଧିର ଧାରା ଜାରି ରହିବ ବୋଲି ଗତକାଲି ଭାରତ ପେଟ୍ରୋଲିୟମ୍ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ। ତାଙ୍କ କଥା ସତ ହୋଇଛି। ସେ କହିଥିଲେ ଯେ ଯଦି ଯୁଦ୍ଧ ଲମ୍ବା ସମୟ ଚାଲିବ ତେବେ ତେଲ ଦରରେ ଆଉ ଏକ ବୃଦ୍ଧିର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ।

ଯୁଦ୍ଧ ପାଇଁ ଗୁରୁତ୍ବପୂର୍ଣ୍ଣ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ କରିପାରୁନାହିଁ। ତେଣୁ ତେଲ ଆମଦାନି ବେଶ୍ କଷ୍ଟକର ହୋଇପଡ଼ିଛି। ତାହାର ପ୍ରଭାବରେ ବିଶ୍ବବ୍ୟାପୀ ଅଶୋଧିତ ତୈଳ ଦର ବଢ଼ିଛି। ଇରାନ ଯୁଦ୍ଧ ବନ୍ଦ କରିବା ନେଇ ଶାନ୍ତି ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ଦେଖାଦେଲେ ଦର ଖସୁଛି ଏବଂ କିଛି ସମାଧାନ ବାଟ ବାହାରି ନ ପାରିଲେ ତାହା ପୁଣି ବଢ଼ିଯାଉଛି। ଗତ କିଛି ଦିନ ଧରି ତେଲ ଦରରେ ଏହିଭଳି ହ୍ରାସ ବୃଦ୍ଧି ଜାରି ରହିଛି।

ଚଳିତ ବର୍ଷ ଫେବ୍ରୁଆରି ମାସ ଶେଷ ଆଡ଼କୁ ଇରାନ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଅଶୋଧିତ ତେଲ ଦର ବ୍ୟାରେଲ ପ୍ରତି ୬୫-୭୦ ଡଲାର ମଧ୍ୟରେ ଥିଲା। ଯୁଦ୍ଧ ପରେ ତାହାର ଦାମ୍ ହାରାହାରି ଭାବେ ୧୧୦-୧୧୫ ଡଲାର ରହିଛି। ଯେହେତୁ ଭାରତ ଏହାର ଆବଶ୍ୟକତାର ୮୫% ତେଲ ଆମଦାନି ଜରିଆରେ ପୂରଣ କରୁଛି, ସେଥିପାଇଁ ଏହା ଦର ବଢ଼ିବା ଦ୍ବାରା ସର୍ବାଧିକ ପ୍ରଭାବିତ ହୋଇଛି।

ତେବେ ଯୁଦ୍ଧ ଆରମ୍ଭ ହେବାର ୭୬ ଦିନ ପର୍ଯ୍ୟନ୍ତ ଭାରତରେ ତେଲ ଦର ବଢ଼ିନଥିଲା। ଶେଷ ଥର ପାଇଁ ୨୦୨୨ରେ ତେଲ ଦର ବଢ଼ିଥିଲା। କିନ୍ତୁ ଗତ ୧୦ ଦିନରେ ସେଥିରେ ଚାରି ଥର ବୃଦ୍ଧି ହୋଇଛି।