ହିଟ୍ଓ୍ୱେଭ୍ ନେଇ ରାଜସ୍ୱ ବିଭାଗର ନୂତନ ଏସଓପି ପ୍ରସ୍ତୁତ
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ୱରରେ ହିଟ୍ଓ୍ୱେଭ୍ ସ୍ଥିତିକୁ ନେଇ ରାଜସ୍ୱ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳମାନଙ୍କ ସହ ଆୟୋଜିତ ଏହି ବୈଠକରେ ରାଜସ୍ୱ ମନ୍ତ୍ରୀ ହିଟ୍ଓ୍ୱେଭ୍ ନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ରାଜସ୍ୱ ବିଭାଗ ପକ୍ଷରୁ ଏକ ନୂତନ SOP (ମାନକ ପରିଚାଳନା ପ୍ରଣାଳୀ) ପ୍ରସ୍ତୁତ କରାଯାଇଛି।
ଏହି SOPରେ ଦର୍ଶାଯାଇଛି ଯେ, ଆବଶ୍ୟକତାଠାରୁ ଅଧିକ ଖରା ହେଉଥିବା ସ୍ଥାନରେ ସରକାର ହିଟ୍ ୱେଭ୍ ଆଶ୍ରୟସ୍ଥଳୀ ନିର୍ମାଣ କରିବେ। ଏଥିପାଇଁ ଜିଲ୍ଲାପାଳମାନଙ୍କୁ ଅଧିକୃତ କରାଯାଇଛି। ସରକାରଙ୍କ ଦ୍ୱାରା ପ୍ରଦତ୍ତ SOP ବାହାରେ ମଧ୍ୟ ଜିଲ୍ଲାପାଳ ନିଜସ୍ୱ ନିଷ୍ପତ୍ତି ନେଇପାରିବେ। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ସମୟକୁ ସର୍ବାଧିକ ଗରମ ସମୟ ଭାବରେ ଚିହ୍ନଟ କରାଯାଇଛି, ଏବଂ ଏହି ସମୟ ଉପରେ ଅଧିକ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଯାତ୍ରୀ ଓ ମାଲ ପରିବହନ ଉପରେ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାତାୟତ କରୁଥିବା ରାସ୍ତାରେ ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମ, ORS ଏବଂ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ସେହିପରି କୌଣସି ଅଘଟଣକୁ ଦୃଷ୍ଟିରେ ରଖି ମେଡିକାଲ ଏବଂ ଆମ୍ବୁଲାନ୍ସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେକୌଣସି ସ୍ଥାନରେ ୨୦ ମିନିଟ୍ ମଧ୍ୟରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ବ୍ୟବସ୍ଥା କରାଯାଇଛି। ଯାତ୍ରୀବାହୀ ଓ ମାଲ ପରିବହନ କରୁଥିବା ଲୋକଙ୍କ ପାଇଁ ପ୍ରଚୁର ପରିମାଣରେ ORS ଓ ପିଇବା ପାଣିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍କୁଲ ଛୁଟି ପାଇଁ ଗଣଶିକ୍ଷା ବିଭାଗ ସହ ରାଜସ୍ୱ ବିଭାଗ ଆଲୋଚନା ସାରିଛି। ଯେଉଁଠି ତାତି ବୃଦ୍ଧି ପାଉଛି, ସେଠାରେ ସ୍କୁଲ ଛୁଟି ଘୋଷଣା କରିବାର କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି। ଅଂଶୁଘାତ ଜନିତ ମୃତ୍ୟୁ ପାଇଁ କ୍ଷତିପୂରଣ ପ୍ରଦାନ କରାଯାଉଛି। ରିପୋର୍ଟ ପାଇବାର ୨୪ ଘଣ୍ଟା ମଧ୍ୟରେ ପୀଡ଼ିତ ପରିବାର କ୍ଷତିପୂରଣ ରାଶି ପାଇବେ।
ହିଟ୍ଓ୍ୱେଭ୍ ଥିବା ସ୍ଥାନରେ ଯଦି କୌଣସି ଗାଡ଼ି ଚଳାଚଳ କରେ କିମ୍ବା ଏସି ନଥିବା ଗାଡ଼ିରେ କାହାର ଅସୁବିଧା ହୁଏ, ତେବେ ସେଥିପାଇଁ ଗାଡ଼ିର ମାଲିକ ଦାୟୀ ରହିବେ ବୋଲି ସ୍ପଷ୍ଟ କରାଯାଇଛି।
