ଶୁଭେନ୍ଦୁ ଅଧିକାରୀ ହେବେ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ
କୋଲକତା(ସଂକେତ ଟିଭି): ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶୁଭେନ୍ଦୁ ଅଧିକାରୀଙ୍କ ନାଁ ଘୋଷଣା କରାଯାଇଛି। ଆଜି ବିଜେପି ବିଧାୟକ ଦଳ ବୈଠକରେ ସେ ନିର୍ବାଚିତ ହୋଇଛନ୍ତି। କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଗୃହମନ୍ତ୍ରୀ ଅମିତ ଶାହା ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଆସନ୍ତାକାଲି ଦିନ ୧୧ଟାରେ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶୁଭେନ୍ଦୁ ଅଧିକାରୀ ଶପଥ ଗ୍ରହଣ କରିବେ।
ଆଜି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଗୃହମନ୍ତ୍ରୀ ଅମିତ ଶାହ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା। ଏହି ବୈଠକରେ ଦଳର ନେତା ଚୟନ କରାଯାଇ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ମାରିଛନ୍ତି ପର୍ଯ୍ୟବେକ୍ଷକ ଓ ସହପର୍ଯ୍ୟବେକ୍ଷକ। ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଆଜି ପଶ୍ଚିମବଙ୍ଗରେ ପହଞ୍ଚିଥିଲେ ଅମିତ ଶାହ ଓ ମୋହନ ଚରଣ ମାଝୀ।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରଥମଥର ପଶ୍ଚିମବଙ୍ଗରେ ବିପୁଳ ଜନମତରେ ସରକାର ଗଠନ କରିଛି ବିଜେପି। ଚଳିତ ନିର୍ବାଚନରେ ମମତା ବାନାର୍ଜୀଙ୍କ ଆସନ ଭବାନୀପୁର ଓ ନନ୍ଦିଗ୍ରାମରୁ ଶୁଭେନ୍ଦୁ ଅଧିକାରୀ ବିଜୟୀ ହୋଇଥିଲେ। ଗତ ୨୦୨୧ରେ ନନ୍ଦିଗ୍ରାମରୁ ମମତାଙ୍କୁ ହରାଇଥିବା ବେଳେ ଏଥର ଭବାନୀପୁରରୁ ମଧ୍ୟ ତାଙ୍କୁ ପରାସ୍ତ କରିଛନ୍ତି ଶୁଭେନ୍ଦୁ।
ବିଜେପି ୨୦୭, ଟିଏମସି ୮୦, ଅନ୍ୟ ଦଳ ୬ ଆସନ ପାଇଛନ୍ତି। ବିଧାନସଭା ଫଳାଫଳ ଆସିବା ପରେ ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ଥମୁନି। ଗତ ବୁଧବାର ରାତିରେ ଶୁଭେନ୍ଦୁ ଅଧିକାରୀଙ୍କ ପରିଚର ଚନ୍ଦ୍ରନାଥ ରଥଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଅନେକ ସ୍ଥାନରେ ହିଂସାକାଣ୍ଡ ଘଟଣା ସାମ୍ନାକୁ ଆସିଥିଲା।
ନିର୍ବାଚନରେ ପରାଜୟ ପରେ ଗତକାଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମମତା ବାନାର୍ଜୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ମମତା ହାରି ନାହାନ୍ତି ବରଂ ତାଙ୍କୁ ହରାଇ ଦିଆଯାଇଥିବା କହିଥିଲେ। ଗତକାଲି ପଶ୍ଚିମବଙ୍ଗ ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ ଆର.ଏନ୍ ରବି। ନିଜ ପଦବୀରୁ ଇସ୍ତଫା ଦେବାକୁ ପୂର୍ବରୁ ମନା କରିଥିଲେ ମମତା। ଏହାପରେ ରାଜ୍ୟପାଳ ବିଧାନସଭା ଭଙ୍ଗ କରିଥିଲେ।
