FeaturedLatestNews

ଓଡ଼ିଶାରେ ୪୭ ହଜାର କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ରେକର୍ଡ କରିବା ପରେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ସେ ଓଡ଼ିଶାବାସୀଙ୍କୁ ଏକ ବିରାଟ ଭେଟି ଦେବେ, ଯାହାର ମୂଲ୍ୟ ୪୭ ହଜାର କୋଟି ଟଙ୍କାରୁ ଅଧିକ। ରାଜ୍ୟର ବିଭିନ୍ନ ସ୍ଥାନରେ ଏକାଧିକ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ଓଡ଼ିଶାର ବିକାଶକୁ ପ୍ରାଥମିକତା ଦେଇଆସୁଛନ୍ତି। ପୂର୍ବୋଦୟର ବିକାଶ ଉପରେ ଗୁରୁତ୍ୱ ଦେଇ ସେ ବାରମ୍ବାର ଓଡ଼ିଶା ଗସ୍ତ କରିଛନ୍ତି। ଓଡ଼ିଶାର ସର୍ବାଙ୍ଗୀନ ବିକାଶର ସଂକଳ୍ପ ନେଇ ସେ ପୁଣି ଥରେ ରାଜ୍ୟକୁ ଆସୁଛନ୍ତି, ଯାହାକୁ ନେଇ ମୟୁରଭଞ୍ଜ ସମେତ ସାରା ରାଜ୍ୟରେ ଉତ୍ସାହ ପ୍ରକାଶ ପାଇଛି।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ” ପ୍ରଧାନମନ୍ତ୍ରୀଙ୍କ ଆଗମନରେ ଓଡ଼ିଶାବାସୀ ଅତ୍ୟନ୍ତ ଉତ୍ସାହିତ।ଅନେକ ବୃହତ ଜନସମାଗମ ହେବ।” ସେ ଆହୁରି ମଧ୍ୟ କହିଲେ ଯେ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ମୁଖମଣ୍ଡଳକୁ ବଦଳାଇବ।

ପ୍ରଧାନମନ୍ତ୍ରୀ ଯେଉଁ ପ୍ରମୁଖ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦଘାଟନ କରିବେ, ସେଗୁଡ଼ିକ ମଧ୍ୟରେ ରହିଛି:

  • ଭୁବନେଶ୍ୱରରେ ୩୦୦ ଟିପିଡି କ୍ଷମତାର କମ୍ରେସ୍ଟ ବାୟୋଗ୍ୟାସ ପ୍ଲାଣ୍ଟ
  • କଟକ-ଭୁବନେଶ୍ୱର ସଂଯୋଗ ପାଇଁ କାଠଯୋଡ଼ି ନଦୀ ଉପରେ ନୂତନ ସେତୁ
  • ବୌଦ୍ଧ ଜିଲ୍ଲାର ଢଳପୁର-ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ
  • ନୂଆପଡ଼ା-ଘାଟିପଡ଼ା ଜାତୀୟ ରାଜପଥର ଚାରିଲେନ୍ ବିକାଶ
  • କୁସୁମଡିହି ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ
  • ରାଇରଙ୍ଗପୁରରେ IGNOU ଆଞ୍ଚଳିକ କେନ୍ଦ୍ର
  • ଇଣ୍ଡୋର ବ୍ୟାଡମିଣ୍ଟନ୍ କମ୍ପ୍ଲେକ୍ସ

ସେହିପରି ବୌଦ୍ଧରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୨୪ଟି ଅଟଳ ବସ୍ ଷ୍ଟାଣ୍ଡ ଏବଂ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୯ଟି ସ୍ବୟଂଚାଳିତ ଯାନ ପରୀକ୍ଷା କେନ୍ଦ୍ରର ଉଦଘାଟନ କରାଯିବ। ଏହା ବ୍ୟତୀତ, ନୟାଗଡ଼ ଟାଉନ୍ ବାଇପାସ୍, କୁସୁମୀ ସ୍ମାର୍ଟ ଇରିଗେସନ୍ ପ୍ରକଳ୍ପର ଭୂତଳ ପାଇପଲାଇନ୍, ଜଖପୁରା-ଯାଜପୁର-କେନ୍ଦୁଝରର ବୈତରଣୀ ରୋଡ୍ ମଲ୍ଟି ଟ୍ରାକିଙ୍ଗ ପ୍ରକଳ୍ପ, ହିନ୍ଦୋଳ ରୋଡ଼ ମେରାମଣ୍ଡଳୀ ମଲ୍ଟି ଟ୍ରାକିଙ୍ଗ ପ୍ରକଳ୍ପ, ରାଇରଙ୍ଗପୁର କ୍ରୀଡା କମ୍ପ୍ଲେକ୍ସ ଏବଂ ଆଦିବାସୀ ଗବେଷଣା କେନ୍ଦ୍ର ଭଳି ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯିବ।