FeaturedLatestNewsPolitics

ବିଜେପି ସରକାର ଓଡ଼ିଶା ପାଇଁ ବୋଝ : ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଗତ ଦୁଇ ବର୍ଷ ହେଲା ଓଡ଼ିଶାରେ ବିଜେପି ସରକାର ଅଛି। ଦୁଇ ବର୍ଷରେ ବିଜେପି ସରକାର ଓଡ଼ିଶା ଓ ଓଡ଼ିଶାର ଲୋକଙ୍କ ପାଇଁ ବୋଝ ପାଲଟିଗଲାଣି। ତେଣୁ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆମକୁ ଲଢ଼ିବାକୁ ପଡ଼ିବ। ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଓ ଓଡ଼ିଶାବାସୀ ସମ୍ମୁଖୀନ ହେଉଥିବା ଅନ୍ୟାୟ ବିରୁଦ୍ଧରେ ଲଢ଼ିବାକୁ ପଡ଼ିବ। ତେଣୁ ଆମକୁ ଏକଜୁଟ ହେବାକୁ ପଡ଼ିବ। ଏହି ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେପଟେ ନବୀନଙ୍କ ଆହ୍ୱାନର ଜବାବ ରଖିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ।

ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, “ବିଜୁ ଜନତା ଦଳ ହେଉଛି ଓଡ଼ିଶାବାସୀଙ୍କ ପାଇଁ ବିଶ୍ୱାସର ପ୍ରତୀକ। ଆମେ ସର୍ବଦା ଲୋକଙ୍କ ସହିତ ଠିଆ ହୋଇଆସିଛୁ। ୨୪ ବର୍ଷ ଧରି ଓଡ଼ିଶାବାସୀ ଆମକୁ ସେବା କରିବାର ସୁଯୋଗ ଦେଇଛନ୍ତି। ଲୋକଙ୍କ ଏହି ବିଶ୍ୱାସ ଆମକୁ ବାଟ ଦେଖାଇ ଆସୁଛି। ଆମେ ଓଡ଼ିଶାକୁ ବିକାଶ କରିବା ପାଇଁ ସର୍ବୋତ୍ତମ ପ୍ରୟାସ କରିଛୁ। ସଫଳତା ମଧ୍ୟ ହାସଲ କରିଛୁ। ବିଜୁ ଜନତା ଦଳର ପ୍ରତ୍ୟେକ କର୍ମୀ ଆମର ସଫଳତା ଉପରେ ଗର୍ବ କରିବା ଉଚିତ। ଆଜି ଆମେ ବିରୋଧୀରେ ଅଛୁ। କିନ୍ତୁ ଲୋକଙ୍କ ଭଲ ପାଇବା ଆମ ପ୍ରତି ଅତୁଟ ରହିଛି। ଲୋକଙ୍କ ଏହି ଆଶୀର୍ବାଦ ଏବଂ ଭଲ ପାଇବା ଆମର ସବୁଠାରୁ ବଡ଼ ଶକ୍ତି। ଆମର ସବୁଠାରୁ ବଡ଼ ସମ୍ପତ୍ତି। ଏହାକୁ ନେଇ ଆମେ ଆଗକୁ ବଢ଼ିବା।”

ନବୀନ ଆହୁରି ମଧ୍ୟ କହିଛନ୍ତି, “ମୁଁ ସର୍ବଦା ଅନୁଶାସନ ଉପରେ ବହୁତ ଗୁରୁତ୍ୱ ଦେଇଆସିଛି। ତେଣୁ ଦଳରେ ଅନୁଶାସନ ଭଙ୍ଗ କେବେବି ବରଦାସ୍ତ କରାଯିବ ନାହିଁ। ପଞ୍ଚାୟତ ଓ ସହରାଞ୍ଚଳ ନିର୍ବାଚନ ପାଖେଇ ଆସୁଛି। ସମସ୍ତେ ମିଶି ସଂଗଠନକୁ ଆହୁରି ମଜବୁତ କରିବା। ଲୋକଙ୍କ ସହିତ ଯୋଡ଼ି ହୋଇ ରହିବା। ଏକାଠି ହୋଇ କାମ କରିବା। ବିଜେପି ସରକାର ଏବେ ଓଡ଼ିଶା ଏବଂ ଓଡ଼ିଶାର ଲୋକଙ୍କ ପାଇଁ ଏକ ବହୁତ ବଡ଼ ବୋଝ ପାଲଟିଗଲାଣି। ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆମକୁ ଲଢ଼ିବାକୁ ପଡ଼ିବ। ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଏବଂ ଓଡ଼ିଶାବାସୀ ସମ୍ମୁଖୀନ ହେଉଥିବା ଅନ୍ୟାୟ ବିରୁଦ୍ଧରେ ଲଢ଼ିବାକୁ ପଡ଼ିବ। କୃଷକଙ୍କ ହକ ଓ ଅଧିକାର ପାଇଁ ଲଢ଼ିବାକୁ ହେବ। ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ଲଢ଼ିବାକୁ ପଡ଼ିବ। ମିଥ୍ୟା ପ୍ରଚାର ବିରୋଧରେ ମଧ୍ୟ ଲଢ଼ିବାକୁ ପଡ଼ିବ। ଆସନ୍ତୁ ଆମେ ଓଡ଼ିଶାବାସୀଙ୍କ ବିଶ୍ୱାସ ଏବଂ ଭରସାକୁ ସମ୍ମାନ ଦେଇ ଏହି ଲଢ଼େଇକୁ ଆହୁରି ଜୋରଦାର କରିବା।”

ସେପଟେ ନବୀନଙ୍କ ଆହ୍ୱାନର ଉତ୍ତର ଦେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତ କହିଛନ୍ତି, “ନବୀନ ପଟ୍ଟନାୟକଙ୍କୁ ଯେଉଁମାନେ ମୁଖ୍ୟମନ୍ତ୍ରୀ ପାଇଁ ଆଣିଥିଲେ, ନବୀନ ତାଙ୍କ ସହ ବିଶ୍ୱାସଘାତକ କରିଛନ୍ତି। ଯେଉଁମାନେ ନବୀନ ବାବୁଙ୍କୁ ଦିଲ୍ଲୀରୁ ଧରି ଆସିଥିଲେ, ନବୀନ ତାଙ୍କ ପଛରୁ ଛୁରୀ ମାରିଛନ୍ତି। ବିଶ୍ୱାସଘାତକ କଥା ଆଜି ନବୀନ ବାବୁ କାହାକୁ କହୁଛନ୍ତି। ନବୀନ ବାବୁ ନିଜେ ଜଣଙ୍କ ପରେ ଜଣଙ୍କୁ ପଛରୁ ଛୁରୀ ମାରି ବିଶ୍ୱାସଘାତକ ପାଲଟିଛନ୍ତି। ନବୀନଙ୍କୁ ବିଶ୍ୱାସଘାତକ ଶବ୍ଦ ଶୋଭା ପାଉନାହିଁ। ଜନାଦେଶ ଯେତେବେଳେ ବିଜେଡି ବିରୋଧରେ ଯାଇଛି, ସେତେବେଳେ କର୍ମୀମାନଙ୍କର ଭୁଲ କ’ଣ? ଠିକ୍ ଢଙ୍ଗରେ ନବୀନ ବାବୁ ଶାସନ କରିପାରି ନାହାନ୍ତି ବୋଲି ଜନମତ ତାଙ୍କ ବିରୋଧରେ ଗଲା।”