CulturalFeaturedLatestNews

ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ଧାମ ଶବ୍ଦ

ଭୁବନେଶ୍ୱର (ସଂକେତ ଟିଭି): ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟିବା ନେଇ ମଙ୍ଗଳବାର ବଡ଼ ଘୋଷଣା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ‘ଧାମ’ ଶବ୍ଦ ହଟାଯାଇ ଲାଗିଲା ‘ଜଗନ୍ନାଥ ମନ୍ଦିର’ ସୂଚନା ଫଳକ। ସ୍ଥାନୀୟ ବିଧାୟକ ଚନ୍ଦ୍ରଶେଖର ମଣ୍ଡଳ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ମୁଖ୍ୟ ରାଧାମୋହନ ଦାସଙ୍କ ଉପସ୍ଥିତିରେ ଏହି ‘ଧାମ’ ଶବ୍ଦ ହଟାଯାଇଛି। ଫଳରେ ଦୀଘାର ନବନିର୍ମିତ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଲେଖାଯିବା ନେଇ ଦୀର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିଛି।

କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ସଂସ୍କୃତି ଓ ଜଗନ୍ନାଥପ୍ରେମୀଙ୍କ ଭାବନାକୁ ସମ୍ମାନ ଜଣାଇ ଏହି ବିବାଦୀୟ ନାମ ହଟାଇବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ପୁରୀ ଶ୍ରୀକ୍ଷେତ୍ର ହେଉଛି ଚାରି ଧାମ ମଧ୍ୟରୁ ଅନ୍ୟତମ। ଦୀଘା ମନ୍ଦିରକୁ ‘ଜଗନ୍ନାଥ ଧାମ’ ଲେଖାଯିବା ଦ୍ଵାରା ଓଡ଼ିଆ ସଂସ୍କୃତି ଓ ଭକ୍ତଙ୍କ ଭାବନାକୁ ଆଘାତ ଲାଗୁଥିଲା। ଏବେ ଏହି ନିଷ୍ପତ୍ତି ପରେ ସମସ୍ତ ବିବାଦର ସମାଧାନ ହୋଇଛି।

ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ‘ଧାମ’ ଶବ୍ଦ ହଟାଇବାକୁ ଅନୁରୋଧ କରିଥିଲେ। ସରକାର ବଦଳିବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ‘ଧାମ’ ଶବ୍ଦ ହଟିବା ପରେ ଓଡ଼ିଶା ସମେତ ସମଗ୍ର ବିଶ୍ଵର ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦୀଘାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ପୁରୀ ଶ୍ରୀମନ୍ଦିରର ଅବିକଳ ନକଲରେ ଗଢ଼ା ହୋଇଛି ଦୀଘା ଜଗନ୍ନାଥ ମନ୍ଦିର। ୨୦ ଏକର ଜମିରେ ୨୫୦ କୋଟି ବ୍ୟୟରେ ନିର୍ମିତ ଏହି ମନ୍ଦିର ୨୦୧୯ରେ ଆରମ୍ଭ ହୋଇ ୨୦୨୫ ଏପ୍ରିଲ ୩୦ରେ ଉଦଘାଟିତ ହୋଇଥିଲା। ବର୍ତ୍ତମାନ ଏହାକୁ ‘ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର’ ନାମରେ ନାମିତ କରାଯାଇଛି।