ଏଣିକି ରାସ୍ତା କଡ଼ରେ ରହିବନି ଟ୍ରକ୍, ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ସମସ୍ତ ଟ୍ରକ ଟର୍ମିନାଲ
ଭୁବନେଶ୍ୱର (ସଂକେତ ଟିଭି): ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବା ୨୩ଟି ଟ୍ରକ ଟର୍ମିନାଲ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ଟ୍ରକ ଟର୍ମିନାଲ ମଧ୍ୟରେ ହୋଟେଲ, ପାର୍କିଙ୍ଗ ବ୍ୟବସ୍ଥା ପରି ସମସ୍ତ ପ୍ରକାର ଲଜିଷ୍ଟିକ ସୁବିଧା ପାଇପାରିବେ ଟ୍ରକ ଚାଳକ ଓ କର୍ମଚାରୀ। ଟ୍ରକ ଟର୍ମିନାଲ ଗୁଡିକ କାର୍ଯ୍ୟକ୍ଷମ ହେଲେ ଦୁର୍ଘଟଣା ଅନେକ ମାତ୍ରାରେ କମିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ। ସଡକ ଦୁର୍ଘଟଣାକୁ ରୋକିବା ପାଇଁ ସୁପ୍ରିମ କୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏପରି କଡା ଆଭିମୁଖ୍ୟ ଗ୍ରହଣ କରାଯାଇଛି।
ରାଜ୍ୟରେ ପ୍ରମୁଖ ସ୍ଥାନରେ ଜାତୀୟ ରାଜପଥ କଡରେ ୨୩ଟି ଟ୍ରକ ଟର୍ମିନାଲ ନିର୍ମାଣ ହେଉଛି। ଏହାର ଶେଷ ପର୍ଯ୍ୟାୟ କାମ ଚାଲିଛି। ନ୍ୟାସନାଲ ହାଇଓ୍ବେ ଲଜିଷ୍ଟିକକୁ ପରିଚାଳନା ଦାୟିତ୍ବ ମିଳିଥିଲା। ଏହି ଟର୍ମିନାଲରେ ହୋଟେଲ ସହ ପାର୍କିଂ ସୁବିଧା ରହିବ। ଏହି କାମ ତୁରନ୍ତ ସାରିବାକୁ ମନ୍ତ୍ରୀ କହିବା ସହ କାମରେ ବିଳମ୍ବ କରୁଥିବାରୁ ଠିକା ସଂସ୍ଥାକୁ ତାଗିଦ କରିଛନ୍ତି। ଶିଘ୍ର କାମ ନ ହେଲେ ନୂଆ ସଂସ୍ଥାକୁ କାମ ଦେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ପରିବହନ ମନ୍ତ୍ରୀ।
ମନ୍ତ୍ରୀ କହିଛନ୍ତି, ରାସ୍ତା କଡ଼ରେ ଅବୈଧ ଭାବେ ଗଢା ଯାଇଥିବା ଢ଼ାବା ହେଉ କିମ୍ବା ଦୋକାନ, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏବେଠୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇ ସାରିଲାଣି, ଆଗକୁ ଆହୁରି ହେବ। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ‘ଡିଷ୍ଟ୍ରିକ୍ଟ ହାଇୱେ ସେଫ୍ଟି ଟାସ୍କ ଫୋର୍ସ’ ଗଠନ କରାଯିବ। ପୁଲିସ, ପ୍ରଶାସନ ଓ ଏନଏଚଏଆଇ ମଧ୍ୟରେ ସମନ୍ୱୟ ବଢ଼ାଯିବ। ହାଇୱେରେ ନିୟମିତ ପାଟ୍ରୋଲିଂ, ନିରୀକ୍ଷଣ ଓ ଅବୈଧ ଦଖଲ ହଟାଇବା ଉପରେ ଜୋର ଦିଆଯିବ’ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ବିଭୂତି ଜେନା ଆହୁରି କହିଛନ୍ତି, ‘ଦୁର୍ଘଟଣାପ୍ରବଣ ସ୍ଥାନଗୁଡିକୁ ଚିହ୍ନଟ କରି ସେଠାରେ ହାଇ-ମାଷ୍ଟ ଲାଇଟ୍, ସ୍ପିଡ୍ କ୍ୟାମେରା ଓ ସଚେତନତା ସାଇନ୍ ବୋର୍ଡ୍ ଲଗାଯିବ। ରାସ୍ତା ସକଡରେ ଯାନ ପାର୍କିଂ କରି ପାରିବ ନାହିଁ। କେବଳ ନିର୍ଦ୍ଦିଷ୍ଟ ଲେ-ବାୟ କିମ୍ବା ୱେସାଇଡ୍ ଆମେନିଟିରେ ଯାନ ପାର୍କିଂ କରାଯାଇପାରିବ।’
ଭୁବନେଶ୍ବର ପଳାଶୁଣୀରେ ବଢୁଥିବା ଭିଡକୁ ଦେଖି ପରିବହନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘ଭିଡ ନିୟନ୍ତ୍ରଣ ପାଇଁ ଯୋଜନା ଚାଲିଛି। ପୂର୍ତ୍ତ ବିଭାଗ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ସରିଛି। ୬ ଲେନ ରାସ୍ତା ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।’
ଅନ୍ୟ ପଟେ ଅମାନିଆଙ୍କୁ ସାବାଡ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ଚାଲିଛି ଚେକିଂ। ଏପର୍ଯ୍ୟନ୍ତ ଅମାନିଆ ଚାଳକ ଦେଲେଣି ୧୬ କୋଟି ଟଙ୍କା। ଗତ ଏକମାସରେ ପରିବହନ ବିଭାଗ ୧ ଲକ୍ଷ ୩୩ ହଜାର ଟଙ୍କାର ଚାଲାଣ କାଟିଛି। ୫ ହଜାର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଛି। ୨୫୦ ଆରସି ସସପେଣ୍ଡ ପାଇଁ ନୋଟିସ ହୋଇଛି।
