ମୟୂରଭଞ୍ଜରେ ସଡ଼କ ଦୁର୍ଘଟଣା: ୪ ମୃତ, ୩ ଗୁରୁତର
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲା ପାଇଁ ସୋମବାର ଥିଲା ଦୁର୍ଘଟଣାର ଦିନ। କରଞ୍ଜିଆ ଥାନା ଅଞ୍ଚଳରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ପୁଣି ଗୋଟିଏ ନୁହେଁ, ଦୁଇ ଦୁଇଟି ଦୁର୍ଘଟଣା। ଏହି ପୃଥକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ଏହି ଘଟଣା କରଞ୍ଜିଆ ଅଞ୍ଚଳରେ ଶୋକର ଲହରୀ ଖେଳାଇ ଦେଇଛି।
ପ୍ରଥମ ଦୁର୍ଘଟଣାଟି ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ କାଳିକାପୁର ଜଙ୍ଗଲ ନିକଟରେ। ସେଠାରେ ସ୍କର୍ପିଓ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ସ୍କର୍ପିଓ ଧକ୍କାରେ ବାଇକ୍ରେ ଥିବା ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୃତ ଦମ୍ପତି ହେଲେ ଶଙ୍କର ନାୟକ ଓ ତାଙ୍କ ପତ୍ନୀ କବିତା। ସେମାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅନ୍ତର୍ଗତ ପାଣ୍ଠ ଗାଁରେ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ସ୍କର୍ପିଓରେ ଥିବା ଦୁଇ ଜଣ ମହିଳା ଆହତ ହୋଇଛନ୍ତି। ସେମାନଙ୍କୁ କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ସେହିପରି ଦ୍ୱିତୀୟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ଘଟିଛି କାଦଡ଼ିହା ଜଙ୍ଗଲ ନିକଟରେ। କରଞ୍ଜିଆ ଥାନା ଅନ୍ତର୍ଗତ କାଦଡ଼ିହା ଜଙ୍ଗଲ ନିକଟରେ ‘ପ୍ରଶାନ୍ତି’ ନାମକ ଏକ ଘରୋଇ ବସ୍ କାରକୁ ସାମ୍ନାପଟରୁ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କରଞ୍ଜିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।
ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳି ନଥିଲେ ହେଁ କାରରେ ଥିବା ସମସ୍ତ ଲୋକ ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳର ବୋଲି ସୂଚନା ମିଳିଛି। ଘଟଣା ସମ୍ପର୍କରେ କରଞ୍ଜିଆ ଥାନା ପୋଲିସ ଉଭୟ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଦୁଇଟି ପୃଥକ ମାମଲା ରୁଜୁ କରିଛି।
