ପୋଲିସକୁ ଚକମା ଦେଉଥିବା କୁଖ୍ୟାତ ଆନ୍ତର୍ରାଜ୍ୟ ଲୁଟେରା ଏସ.କେ. ଅଜିତ ଗିରଫ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ଜିଲ୍ଲା ଭୋଗରାଇ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦୀର୍ଘ ବର୍ଷ ଧରି ପୋଲିସକୁ ଚକମା ଦେଉଥିବା କୁଖ୍ୟାତ ଆନ୍ତର୍ରାଜ୍ୟ ଲୁଟେରା ଏସ.କେ. ଅଜିତ ଏବେ ପୋଲିସ ପଞ୍ଝରାରେ ଧରା ପଡ଼ିଛି। ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗରେ ବିଭିନ୍ନ ଚୋରି, ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ଅଜିତ ଏବେ ଭୋଗରାଇ ପୋଲିସ ଅଧୀନରେ।
ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ଅଜିତ ଓଡ଼ିଶା ସୀମା ଅନ୍ତର୍ଗତ ଦେଉଳା ଗାଁର ପରେଶ ମହାନ୍ତିଙ୍କ ଘରେ ଲୁଟ କରୁଥିଲା। ଏହି ସମୟରେ ଭୋଗରାଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଅଜିତକୁ ମାଡ଼ି ବସିଥିଲା। ଘଟଣାସ୍ଥଳରୁ ପୋଲିସ ତାଙ୍କୁ ଗିରଫ କରିବା ସହ ୧୦୯/୨୬ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପୋଲିସ ଅଜିତ ପାଖରୁ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା, ରୁପା ସହ ନଗଦ ଟଙ୍କା ଓ ବାଇକ୍ ଜବତ କରିଛି। ଜବତ ସମ୍ପତ୍ତି ମଧ୍ୟରେ ଦେଢ଼ କିଲୋ ରୁପା, ୭ ଗ୍ରାମ ସୁନା, ପ୍ରାୟ ୧୪ ହଜାର ଟଙ୍କା ନଗଦ ଏବଂ ଗୋଟିଏ ବାଇକ୍ ରହିଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଏସ.କେ. ଅଜିତଙ୍କ ଘର ଓଡ଼ିଶା ସୀମାକୁ ଲାଗି ରହିଥିବା ପଶ୍ଚିମବଙ୍ଗର ପଞ୍ଝାମୁଡ଼ରେ। ସେ ଦୀର୍ଘ ବର୍ଷ ଧରି ଉଭୟ ରାଜ୍ୟରେ ଦିନରେ ଚୁଟି ବ୍ୟବସାୟୀ ଏବଂ ରାତିରେ ଲୁଟ, ଛୀନତାଇ ଓ ଡକାୟତି ଭଳି କାର୍ଯ୍ୟରେ ଲିପ୍ତ ଥିଲା। ଉଭୟ ରାଜ୍ୟରେ ଅଜିତ ନାଁରେ ୪୦ରୁ ଊର୍ଦ୍ଧ୍ୱ ମାମଲା ଥିବା ବେଳେ କେବଳ ଭୋଗରାଇ ଥାନାରେ ୧୧ଟି ମାମଲା ରହିଛି।
