FeaturedLatestNews

ଚନ୍ଦନଯାତ୍ରାରେ ବିଭ୍ରାଟ, ପ୍ରଶାସନର ହସ୍ତକ୍ଷେପରେ ସମାଧାନ

ପୁରୀ (ସଂକେତ ଟିଭି): ଚନ୍ଦନଯାତ୍ରା ବିବାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଛି। ଶ୍ରୀମନ୍ଦିର କମାଣ୍ଡରଙ୍କୁ ଏନେଇ ରିପୋର୍ଟ ମଗାଯାଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି।

ପ୍ରବଳ ପବନ ଯୋଗୁଁ ଦିନ ଚାପ ଅସମ୍ଭବ ଥିଲା। ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରାତି ଚାପ ହୋଇପାରିନଥିଲା। ଏବେ ବିବାଦକୁ ନେଇ ବୈଠକ ବସିଥିଲା। ଏହି ବୈଠକରେ ମହାପ୍ରଭୁଙ୍କ ଚାପ ନୀତିକୁ ଶୃଙ୍ଖଳିତ କରିବାକୁ ସେବାୟତମାନେ ପ୍ରତିଶୃତି ଦେଇଛନ୍ତି।

ସୂଚନାଯୋଗ୍ୟ, ଚନ୍ଦନ ଯାତ୍ରାର ନବମ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କ ଚାପ ଖେଳି ପାରିନଥିଲା। ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଏଭଳି ଘଟଣା ଘଟିଥିଲା। ଚାପ ନଖେଳି ଦୀର୍ଘ ସମୟ ଧରି ଚାପ ଡଙ୍ଗାରେ ବସି ରହିଥିଲେ ମଦନମୋହନ, ରାମକୃଷ୍ଣ ଏବଂ ପଞ୍ଚପାଣ୍ଡବ।

ସିଂହାରୀ ନିଯୋଗ ଏବଂ ସୁଦୁ ସୁଆର ନିଯୋଗ ମଧ୍ୟରେ ବିବାଦ ଯୋଗୁଁ ଠାକୁରଙ୍କ ରାତି ଚାପ ହୋଇପାରିଲା ନାହିଁ। ସୁଦୁ ସୁଆର ସେବକଙ୍କୁ ଚାପ ଡଙ୍ଗାରେ ବାରଣ ଯୋଗୁଁ ବିବାଦ ସୃଷ୍ଟି ହୋଇଥିଲା। ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଠାକୁରଙ୍କ ଚାପ ଖେଳ ଦର୍ଶନ କରିନପାରି ଶ୍ରଦ୍ଧାଳୁମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ଏହି ପ୍ରସଙ୍ଗରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।