FeaturedGeneralLatest

୬ ଦିନିଆ ଗସ୍ତରେ ୫ ଦେଶ ବୁଲିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ(ସଂକେତ ଟିଭି): ମଧ୍ୟପ୍ରାଚ୍ୟ ଯୁଦ୍ଧ ସଙ୍କଟ ମଧ୍ୟରେ ଆଜିଠୁ (ମେ’ ୧୫) ୬ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାତ୍ରା ଆରମ୍ଭ କରିଛନ୍ତି। ଏହି ୬ ଦିନିଆ ଗସ୍ତରେ ସେ ମୋଟ ୫ଟି ଦେଶ ଯାତ୍ରା କରିବେ। ୟୁନାଇଟେଡ ଆରବ ଏମିରେଟ୍ସ (UAE), ନେଦରଲ୍ୟାଣ୍ଡ୍ସ, ସ୍ବିଡେନ, ନରୱେ ଓ ଇଟାଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଶ୍ଚିମ-ଏସିଆ ଯୁଦ୍ଧ ସଙ୍କଟ ମଧ୍ୟରେ ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା, ଶକ୍ତି, ନିବେଶ ଭଳି କ୍ଷେତ୍ରରେ ସହଭାଗିତାକୁ ଆହୁରି ମଜବୁତ କରିବା।

ବିଦେଶ ଯାତ୍ରାର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ UAE ଗସ୍ତ କରିବେ। ଏଠାରେ ସେ ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନଙ୍କ ସହ ସାକ୍ଷାତ କରିବେ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଦୁଇ ଦେଶ ମଧ୍ୟରେ ଶକ୍ତି ସହଯୋଗ, ନିବେଶ, ବାଣିଜ୍ୟ ଭଳି ପ୍ରସଙ୍ଗ ଉପରେ ଚର୍ଚ୍ଚା ହେବ। ୟୁଏଇର ମନ୍ତ୍ରୀ ରିମ୍ ଅଲ ହାଶିମ କହିଥିଲେ ଯେ, ଦୁଇ ଦେଶର ସମ୍ପର୍କ ବାଣିଜ୍ୟରେ ନୂତନ ଶିଖର ଛୁଇଁବ। ଗତ ଜାନୁଆରୀରେ ୟୁଏଇ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଓ ଫେବୃଆରୀରେ ଏଆଇ ଶିଖର ସମ୍ମିଳନୀରେ କ୍ରାଉନ ପ୍ରିନ୍ସଙ୍କ ଯୋଗଦାନ ପରେ ଦ୍ବି-ପାକ୍ଷିକ ସମ୍ପର୍କ ଆହୁରି ମଜବୁତ ହୋଇଛି।

ୟୁଏଇ ଗସ୍ତ ପରେ ୧୫ରୁ ୧୭ ତାରିଖ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେଦରଲ୍ୟାଣ୍ଡ୍ସ ଗସ୍ତରେ ଯିବେ। ଏହି ଗସ୍ତ ଅବସରରେ ସେ ନେଦରଲ୍ୟାଣ୍ଡ୍ସର ପ୍ରଧାନମନ୍ତ୍ରୀ ରୋବ୍ ଜେଟନ, ରାଜା ୱିଲେମ ଆଲେକଜେଣ୍ଡର ଓ ମହାରାଣୀ ମୋକ୍ସିମାଙ୍କ ସହ ସାକ୍ଷାତ କରିବେ। ଏହାପରେ ସେମିକଣ୍ଡକ୍ଟର, ଗ୍ରୀନ ହାଇଡ୍ରୋଜେନ, ପ୍ରତିରକ୍ଷା ଓ ଜଳ ପ୍ରସଙ୍ଗରେ ଚର୍ଚ୍ଚା କରିବେ।

ଏହା ପରେ ସେ ୨ ଦିନିଆ (ମେ’ ୧୭ରୁ ମେ’ ୧୮) ସ୍ବିଡେନ ଗସ୍ତ କରିବେ। ସେଠାରେ ସେ ସ୍ବିଡେନ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ରିଷ୍ଟର୍ସନଙ୍କ ସହ ଦ୍ବି-ପାକ୍ଷିକ ବୈଠକ କରିବେ। ଏଥି ସହ ଦୁଇ ରାଷ୍ଟ୍ର ମୁଖ୍ୟ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟେନ୍ ଙ୍କ ସହ ଟେବୁଲ୍ ଫର୍ ଇଣ୍ଡଷ୍ଟ୍ରିକୁ ସମ୍ବୋଧିତ କରିବେ। ଏଥିରେ ଏଆଇ, ପ୍ରଯୁକ୍ତିବିଦ୍ୟା ପ୍ରସଙ୍ଗରେ ଆଲୋଚନା ହେବ।

ସ୍ବିଡେନ ଗସ୍ତ ଯାତ୍ରା ଶେଷ କରିବା ପରେ ମେ’ ୧୯ରେ ପ୍ରଧାନମନ୍ତ୍ରୀ ନରୱେ ଗସ୍ତ କରିବେ। ଏହା ପ୍ରଧାନମନ୍ତ୍ରୀଙ୍କର ନରୱେ ପ୍ରଥମ ଗସ୍ତ ହେବ। ସେ ନରୱେର ଓସଲୋରେ ଆୟୋଜିତ ଭାରତ-ନୋର୍ଡିକ ଶିଖର ସମ୍ମିଳନୀରେ ସାମିଲ ହେବେ। ଏହି ସମ୍ମିଳନୀରେ ଡେନମାର୍କ, ଫିନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ ଓ ସ୍ବଡେନର ନେତା ଯୋଗ ଦେବେ। ଏହାପରେ ୧୯ରୁ ୨୦ ମେ’ ପର୍ଯ୍ୟନ୍ତ ସେ ଇଟାଲୀ ଗସ୍ତ କରିବେ। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଓ ରାଷ୍ଟ୍ରପତି ସର୍ଜିୟୋ ମାତାରେଲାଙ୍କ ସହ ଭେଟିବେ।

ଆବୁଧାବି: ପ୍ରଧାନମନ୍ତ୍ରୀଙ୍କ ଯୁଏଇ ଗସ୍ତ, ୫ ବିଲିୟନ ଡଲାରର ନିବେଶ ଘୋଷଣା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁଏଇ ରାଷ୍ଟ୍ରପତି ଶେଖ୍ ମୋହମ୍ମଦ ବିନ୍ ଜାୟଦ ଅଲ୍ ନାହ୍ୟାନଙ୍କ ପ୍ରତି ଆଭାର ପ୍ରକାଶ କରିଛନ୍ତି। ଆବୁଧାବି ବିମାନବନ୍ଦରରେ ତାଙ୍କୁ ବିଶେଷ ଭାବେ ସ୍ୱାଗତ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ଶକ୍ତି, ନିବେଶ, ଯୋଗାଣ ଶୃଙ୍ଖଳା ଓ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ଭାରତ-ଯୁଏଇ ସମ୍ପର୍କକୁ ଆଗକୁ ନେବା ପାଇଁ ଆଲୋଚନା କରିବାକୁ ସେ ଉତ୍ସୁକ ଥିବା କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଯୁଏଇ ରାଷ୍ଟ୍ରପତି ଶେଖ୍ ମୋହମ୍ମଦ ବିନ୍ ଜାୟଦଙ୍କ ମଧ୍ୟରେ ଭାରତ-ଯୁଏଇ ସମଗ୍ର ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଉପରେ ଗଭୀର ଆଲୋଚନା ହୋଇଛି। ବାଣିଜ୍ୟ, ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ପାଇଁ ବିଭିନ୍ନ ଦିଗ ଉପରେ ମତ ବିନିମୟ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ଭ୍ରାତାଙ୍କ ସହ ଉତ୍କୃଷ୍ଟ ଆଲୋଚନା ହୋଇଛି।

ଯୁଏଇ ଉପରେ ହୋଇଥିବା ଆକ୍ରମଣର ପ୍ରଧାନମନ୍ତ୍ରୀ ଦୃଢ଼ ନିନ୍ଦା କରିବା ସହ ଏହାକୁ ପୁନର୍ବାର ଦୋହରାଇଛନ୍ତି। ସେ ତାଙ୍କ ଭ୍ରାତାଙ୍କ ନେତୃତ୍ୱ, ସାହସ ଏବଂ ବୁଦ୍ଧିମତାକୁ ପ୍ରଶଂସା କରିଛନ୍ତି, ଯାହା ଏହି ସମୟରେ ସ୍ପଷ୍ଟ ଦେଖିବାକୁ ମିଳିଛି। ଯୁଏଇରେ ଭାରତୀୟ ସମୁଦାୟ ପ୍ରତି ତାଙ୍କର ଯତ୍ନ ଓ ଚିନ୍ତା ପାଇଁ ମଧ୍ୟ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଏହି ଯୁଏଇ ଗସ୍ତ ସମୟରେ ଶକ୍ତି, ପ୍ରତିରକ୍ଷା, ଭିତ୍ତିଭୂମି, ଜାହାଜ ଚାଳନା ଏବଂ ଉନ୍ନତ ଟେକ୍ନୋଲୋଜି ଭଳି ପ୍ରମୁଖ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହା ଭାରତ-ଯୁଏଇ ସମଗ୍ର ରଣନୈତିକ ସହଭାଗିତାକୁ ନୂଆ ଗତି ପ୍ରଦାନ କରିବ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ, ଯୁଏଇ ଭାରତରେ ୫ ବିଲିୟନ ଆମେରିକୀୟ ଡଲାର ନିବେଶ କରିବାକୁ ଘୋଷଣା କରିଛି। ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କ ଆହୁରି ଗଭୀର ହେବ ବୋଲି ଆଶା କରାଯାଉଛି।