ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କରନ ଆଦାନୀ
ଭୁବନେଶ୍ୱର (ସଂକେତ ଟିଭି): ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସଇଜେଡର ପରିଚାଳନା ନିର୍ଦ୍ଦେଶକ କରନ ଆଦାନୀ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶାରେ ଆଦାନୀ ଗ୍ରୁପ୍ର ବିପୁଳ ନିବେଶ ଯୋଜନା ପ୍ରସଙ୍ଗରେ ଏହି ସାକ୍ଷାତକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଗ୍ରୁପ୍ ପକ୍ଷରୁ ଆଲୁମିନିୟମ ଶିଳ୍ପରେ ୧୦୦ କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରାଯାଇଥିବା ବେଳେ, ଏହି ବୈଠକରେ ଆଲୁମିନିୟମଠାରୁ ଆରମ୍ଭ କରି ଶକ୍ତି କ୍ଷେତ୍ର ପର୍ଯ୍ୟନ୍ତ ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ସେହିପରି, କରନ ଆଦାନୀ ଖାରବେଳ ଭବନରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଏହି ସାକ୍ଷାତରେ ରାଜ୍ୟର ସ୍ବଚ୍ଛ ଶକ୍ତି କ୍ଷେତ୍ରରେ ଆଦାନୀ ଗ୍ରୁପ୍ କରୁଥିବା ନିବେଶ ସମ୍ପର୍କରେ ଆଲୋଚନା ହୋଇଥିଲା। ରାଜ୍ୟର ଦୀର୍ଘକାଳୀନ ଶକ୍ତି ସୁରକ୍ଷା ଏବଂ ସ୍ବଚ୍ଛ ଶକ୍ତି ଆକାଂକ୍ଷା କିପରି ପୂରଣ ହୋଇପାରିବ, ସେ ନେଇ ଉଭୟ ପକ୍ଷ ମଧ୍ୟରେ ବିସ୍ତୃତ ବିଚାର ବିମର୍ଶ ହୋଇଥିଲା।
ଏହି ବୈଠକରେ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ ଦେବ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଦାନୀ ଗ୍ରୁପ୍ ପକ୍ଷରୁ ଓଡ଼ିଶାରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ସହ ସମନ୍ଵୟ ବୃଦ୍ଧି କରାଯାଇଥିଲା।
