CrimeFeaturedLatestNews

୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ କ୍ୟାପିଟାଲ୍ ହସ୍ପିଟାଲର ଡାକ୍ତର ଗିରଫ

ଭୁବନେଶ୍ୱର (ସଂକେତ ଟିଭି): ରାଜଧାନୀର କ୍ୟାପିଟାଲ୍ ହସ୍ପିଟାଲରେ କାର୍ଯ୍ୟରତ ଜଣେ ଡାକ୍ତର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଡାକ୍ତର ଜଣକ ହେଲେ ଆସିଷ୍ଟାଣ୍ଟ ସର୍ଜନ ସତ୍ୟଜିତ୍ ବେହେରା। ଏକ ଏନଜିଓ କର୍ମଚାରୀଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେ ହାତରେ ଧରିଥିଲା। ଦରମା ବିଲ୍ ପାଇଁ ୱାର୍କ ସାର୍ଟିଫିକେଟ୍ରେ ଦସ୍ତଖତ କରିବାକୁ ସେ ଏହି ଲାଞ୍ଚ ଦାବି କରି ଆସୁଥିଲେ।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କ୍ୟାପିଟାଲ୍ ହସ୍ପିଟାଲ୍ର କାଜୁଆଲ୍ଟି ବିଭାଗରେ ଆସୁଥିବା ଅସହାୟ ଓ ପରିଚୟହୀନ ରୋଗୀମାନଙ୍କୁ ସାହାଯ୍ୟ କରିବା ପାଇଁ ଏକ ବେସରକାରୀ ସଂସ୍ଥା (ଏନଜିଓ) ନିୟୋଜିତ ଥିଲା। ଉକ୍ତ ସଂସ୍ଥାର କର୍ମଚାରୀମାନଙ୍କର ଜୁନ୍ ଓ ଜୁଲାଇ ୨୦୨୬ ମାସର ଦରମା ପ୍ରଦାନ ନିମନ୍ତେ ୱାର୍କ ସାର୍ଟିଫିକେଟ୍ରେ ଡାକ୍ତରଙ୍କ ଦସ୍ତଖତ ଆବଶ୍ୟକ ଥିଲା। ଏଥିପାଇଁ ଗତ ଜୁନ୍ ମାସରୁ ଡାକ୍ତର ବେହେରା ଉକ୍ତ ଏନଜିଓ କର୍ମକର୍ତ୍ତାଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରି ହଇରାଣ କରି ଆସୁଥିଲେ।

ଶେଷରେ ଅଭିଯୋଗକାରୀ ଓଡ଼ିଶା ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତି କରି ସୋମବାର ଦିନ ଭିଜିଲାନ୍ସ ଟିମ୍ ଏକ ଯୋଜନାବଦ୍ଧ ଜାଲ ବିଛାଇଥିଲା। ଅଭିଯୋଗକାରୀଙ୍କଠାରୁ ୩୦ ହଜାର ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିପକାଇଲେ ଏବଂ ଲାଞ୍ଚ ଟଙ୍କା ଜବତ କରିନେଲେ।

ଏହି ଘଟଣା ପରେ ଡାକ୍ତର ବେହେରାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମଧ୍ୟ ଅନୁସନ୍ଧାନ କରାଯାଉଛି। ଭିଜିଲାନ୍ସ ଟିମ୍ ତାଙ୍କ ସହ ଜଡ଼ିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରଖିଛି। ଅପରପକ୍ଷରେ, ଗଞ୍ଜେଇ ଚାଷ ପାଇଁ ସାର ଯୋଗାଉଥିବା ଡିଲରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ କହିଛନ୍ତି।

Leave a Reply

Your email address will not be published. Required fields are marked *