FeaturedLatestNews

ନନ୍ଦନକାନନକୁ ଅଷ୍ଟ୍ରେଲିଆ ଆସୁଛନ୍ତି ରେଡ୍ କଙ୍ଗାରୁ

ଭୁବନେଶ୍ୱର (ସଂକେତ ଟିଭି): ବିଦେଶୀ ଜୀବଜନ୍ତୁଙ୍କ ଆଗମନ ନନ୍ଦନକାନନ ଚିଡ଼ିଆଖାନାର ସୌନ୍ଦର୍ଯ୍ୟ ଓ ଆକର୍ଷଣକୁ ବହୁଗୁଣିତ କରିବ। ଏହି କ୍ରମରେ ଅଷ୍ଟ୍ରେଲିଆର ସବୁଠାରୁ ବଡ଼ ତଥା ପରିଚିତ ମାର୍ସୁପିଆଲ୍ ‘ରେଡ୍ କଙ୍ଗାରୁ’ ଖୁବଶିଘ୍ର ନନ୍ଦନକାନନ ଚିଡ଼ିଆଖାନାରେ ପହଞ୍ଚିବେ। ଏମାନଙ୍କ ରହଣି ପାଇଁ ‘ଅଷ୍ଟ୍ରେଲିଆନ୍ ଆଡଭେଞ୍ଚର’ ନାମକ ଏକ ସ୍ୱତନ୍ତ୍ର ଖୁଆଡ଼ ପ୍ରସ୍ତୁତ କରାଯାଇଛି। ନିଜର ଶକ୍ତିଶାଳୀ ଡିଆଁ ଏବଂ ସ୍ୱତନ୍ତ୍ର ଥଳି ପାଇଁ ଜଣାଶୁଣା ଏହି କଙ୍ଗାରୁ ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ସାଜିବେ। ମୋଟ୍ ୨ହଳ (୨) ରେଡ୍ କଙ୍ଗାରୁ ନନ୍ଦନକାନନ ଆସିବେ।

ଭାରତରେ ୧୯୫୨ ମସିହାରେ ଲୁପ୍ତ ହୋଇଯାଇଥିବା ଚିତାକୁ ୨୦୨୨ ମସିହାରେ ‘ପ୍ରୋଜେକ୍ଟ ଚିତା’ ମାଧ୍ୟମରେ ଦକ୍ଷିଣ ଆଫ୍ରିକାର ନାମିବିଆରୁ ଭାରତ ଅଣାଯାଇଥିଲା। ବର୍ତ୍ତମାନ ପ୍ରଥମ ଥର ପାଇଁ ନନ୍ଦନକାନନକୁ ଚିତା ଆସିବାକୁ ଯାଉଛି। ଯାହାକୁ ନେଇ ପର୍ଯ୍ୟଟକଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି। ୨ହଳ (୨) ଚିତା ନନ୍ଦନକାନନ ଆସିବେ, ଏଥିପାଇଁ ଖୁଆଡ଼ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।

ଏହା ସହିତ ଆଫ୍ରିକାର ପ୍ରସିଦ୍ଧ ‘ବ୍ଲୁ ୱାଇଲ୍ଡବିଷ୍ଟ୍’ ମଧ୍ୟ ନନ୍ଦନକାନନ ଆସିବାକୁ ଯାଉଛି। ୨ହଳ (୨) ୱାଇଲ୍ଡବିଷ୍ଟ୍ ନନ୍ଦନକାନନ ଆସିବାର ଯୋଜନା ରହିଛି। ସେହିପରି ୨ହଳ (୨) ଆଫ୍ରିକୀୟ ଜେବ୍ରା ମଧ୍ୟ ଆସିବାକୁ ଯାଉଛି। ଏହି ନୂତନ ପ୍ରଜାତିର ଆଗମନ ଓଡ଼ିଶାକୁ ଆଫ୍ରିକୀୟ ବନ୍ୟଜନ୍ତୁଙ୍କ ଏକ ନିଆରା ଅନୁଭୂତି ଆଣିଦେବ।

ଖୁବ ଶୀଘ୍ର ନନ୍ଦନକାନନକୁ ଆସିବ ବିରଳ ଓ ଅତି ସୁନ୍ଦର ‘ଲାଲ୍ ପାଣ୍ଡା’। ଏହା ନନ୍ଦନକାନନ ପାଇଁ ଏକ ନୂଆ ପ୍ରଜାତି। ଏହାକୁ ଆଣିବା ପାଇଁ କର୍ତ୍ତୃପକ୍ଷ ଏବେଠୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିସାରିଛନ୍ତି। ପୂର୍ବ ହିମାଳୟର ଘଞ୍ଚ ଜଙ୍ଗଲର ସବୁଠୁ ଆକର୍ଷଣୀୟ ସ୍ତନ୍ୟପାୟୀ ପ୍ରାଣୀ ହେଉଛି ଲାଲ୍ ପାଣ୍ଡା। ଏହି ବିରଳ ପ୍ରାଣୀକୁ ଦେଖିବା ପାଇଁ ଲୋକେ ସିକିମ, ଦାର୍ଜିଲିଂ ଯିବାକୁ ପଡୁଥିଲା, ହେଲେ ଏଣିକି ଆଉ ଦୂରକୁ ଯିବାକୁ ପଡିବନି; ନନ୍ଦନକାନନରେ ହିଁ ଦେଖିବାକୁ ମିଳିବ। ଏଥିପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ନୂଆଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡଏ)ଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ସିଜେଡଏ ଅନୁମୋଦନ ମିଳିଲେ ନନ୍ଦନକାନନ ଆସିବେ ଏହି ଲାଲ୍ ପାଣ୍ଡା।