FeaturedLatestNews

୬ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୬ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବଦଳି କରିଛନ୍ତି। ଏହି ପ୍ରଶାସନିକ ପରିବର୍ତ୍ତନ ଆକାରରେ ଛୋଟ ଥିଲେ ମଧ୍ୟ ରାଜ୍ୟର ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ବିଭିନ୍ନ ଜୋନ୍ ଓ ଶାଖାମାନଙ୍କରେ ନୂଆ ଦାୟିତ୍ୱ ନ୍ୟସ୍ତ କରାଯାଇଛି।

ପ୍ରଥମେ, ୨୦୦୩ ବ୍ୟାଚର ବରିଷ୍ଠ ଅଧିକାରୀ ହିମାଂଶୁ କୁମାର ଲାଲଙ୍କୁ ଅର୍ଥନୈତିକ ଅପରାଧ ଶାଖା (EOW) ଏବଂ ସ୍ୱତନ୍ତ୍ର ଟାସ୍କଫୋର୍ସ (STF)ର ଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ସେ ସମ୍ବଲପୁର ଜୋନରେ ଆଇଜି ଭାବେ କାର୍ଯ୍ୟରତ ଥିଲେ। ସେହିପରି ୨୦୦୪ ବ୍ୟାଚର ସତ୍ୟବ୍ରତ ଭୋଇ, ଯିଏକି ପୂର୍ବ ବିଜେଡି ସରକାରଙ୍କ ଅତି ବିଶ୍ୱସ୍ତ ଅଧିକାରୀଙ୍କ ମଧ୍ୟରେ ଗଣ୍ୟ ଥିଲେ, ତାଙ୍କୁ ଗୁଇନ୍ଦା ବିଭାଗ (Detective IG)ର ଦାୟିତ୍ୱ ଦିଆଯାଇଛି। ସେ ଏପର୍ଯ୍ୟନ୍ତ NCR ଆଇଜି ଓ ଅନୁଗୁଳ PTCର ପ୍ରିନ୍ସପାଲ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।

୨୦୦୫ ବ୍ୟାଚର ଜୟ ନାରାୟଣ ପଙ୍କଜଙ୍କୁ ଦକ୍ଷିଣ ଓଡ଼ିଶା ଆଇଜି ଭାବେ ବ୍ରହ୍ମପୁରକୁ ବଦଳି କରାଯାଇଛି। ପୂର୍ବରୁ ସେ ଗୁଇନ୍ଦା ଆଇଜି ଭାବେ କାର୍ଯ୍ୟ କରୁଥିଲେ। ଏହି ବଦଳି ଫଳରେ ବ୍ରହ୍ମପୁରରେ ନିତି ଶେଖର (୨୦୦୭ ବ୍ୟାଚ୍)ଙ୍କ ସ୍ଥାନରେ ତାଙ୍କୁ ନୂଆ ଦାୟିତ୍ୱ ମିଳିଛି। ନିତି ଶେଖରଙ୍କୁ ପୋଲିସ ମୁଖ୍ୟାଳୟରେ ଆଇଜି (ପ୍ରୋଭିଜନିଂ) ଭାବେ ନିଯୁକ୍ତି ଦିଆଯାଇଛି, ଯେଉଁଠାରେ ସେ ଏସପି ମୁଖ୍ୟାଳୟର କାର୍ଯ୍ୟ ତୁଲାଇବେ।

ସେହିପରି ୨୦୦୯ ବ୍ୟାଚର ଚରଣ ସିଂହ ମୀନା ସମ୍ବଲପୁରରେ ଡିଆଇଜି ଭାବେ ନୂଆ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନ ସେ ଡିଆଇଜି (ପ୍ରୋଭିଜନିଂ) ଭାବେ କାର୍ଯ୍ୟରତ ଅଛନ୍ତି। ଏହାସହ ୨୦୧୦ ବ୍ୟାଚର ଚର୍ଚ୍ଚିତ ଅଧିକାରୀ ଆଶିଷ କୁମାର ସିଂହ, ଯିଏକି କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଗୃହ ବିଭାଗରେ ଯୋଗ ଦେଇଥିଲେ, ତାଙ୍କୁ ଡିଆଇଜି (NCR, ତାଳଚେର) ଏବଂ ଅନୁଗୁଳ ପୋଲିସ ଟ୍ରେନିଂ କଲେଜର ପ୍ରିନ୍ସପାଲ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଗୃହ ବିଭାଗର ଅତିରିକ୍ତ ସଚିବ ତ୍ରିଲୋଚନ ମାଝୀ ଏହି ବିଜ୍ଞପ୍ତି ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ପ୍ରଶାସନିକ ଦକ୍ଷତା ବୃଦ୍ଧି ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ନିଆଯାଇଥିବା ଜଣାପଡ଼ିଛି।