ଏଣିକି ଅନଲାଇନରେ ହେବ ଆଦିବାସୀ ଜମି ହସ୍ତାନ୍ତର
ଭୁବନେଶ୍ୱର (ସଂକେତ ଟିଭି): ରାଜସ୍ୱ ସେବାକୁ ଅଧିକ ସ୍ୱଚ୍ଛ, ସରଳ ଏବଂ ସମୟୋଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ଏଣିକି ଆଦିବାସୀ ଜମି ହସ୍ତାନ୍ତର, ବେଆଇନ ଜମି ହସ୍ତାନ୍ତର ଏବଂ ଜମିରେ ଅନଧିକୃତ ଦଖଲ ସମ୍ପର୍କିତ ମାମଲାଗୁଡ଼ିକ ଅନଲାଇନ୍ ଜରିଆରେ ପ୍ରକ୍ରିୟାକରଣ କରାଯିବ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ ରାଜସ୍ୱ ସେବାକୁ ଅନଲାଇନ୍ ମାଧ୍ୟମରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଓଡ଼ିଶା ଅଧିସୂଚିତ କ୍ଷେତ୍ର ସ୍ଥାବର ସମ୍ପତ୍ତି ହସ୍ତାନ୍ତର ନିୟମ, ୧୯୫୬ର ଧାରା ୩ (ଏ), ଓଡ଼ିଶା ଭୂସଂସ୍କାର ପୁନର୍ଗଠନ ଆଇନ, ୧୯୬୦ର ଧାରା ୨୩ ଏବଂ ଧାରା ୨୩ (ଏ) ଅଧୀନରେ ଥିବା ସମସ୍ତ ମାମଲା ଏବେ ଅନଲାଇନ୍ ପ୍ରକ୍ରିୟାକରଣ କରାଯିବ। ଏହି ମାମଲାଗୁଡ଼ିକର ସିଧାସଳକ ନିଷ୍ପତ୍ତି ନେବାର କ୍ଷମତା ସବ୍-କଲେକ୍ଟରଙ୍କୁ ଦିଆଯାଇଛି, ଯେଉଁମାନେ କ୍ଷମତାପ୍ରାପ୍ତ ରାଜସ୍ୱ କର୍ତ୍ତୃପକ୍ଷ ଭାବରେ କାର୍ଯ୍ୟ କରିବେ।
ଅନୁସୂଚିତ ଅଞ୍ଚଳରେ ଅନୁସୂଚିତ ଜନଜାତିଙ୍କ ଭୂ-ସମ୍ପତ୍ତି ହସ୍ତାନ୍ତର ଉପରେ ନିୟନ୍ତ୍ରଣ ରଖିବା ପାଇଁ ୧୯୫୬ର ନିୟମ ରହିଛି। ଏହି ନିୟମ ଅଧୀନରେ, ଜମି ହସ୍ତାନ୍ତର ଆଇନସମ୍ମତ କି ନୁହେଁ ତାହା ରାଜସ୍ୱ କର୍ତ୍ତୃପକ୍ଷ ଯାଞ୍ଚ କରିବେ। ସେହିପରି, ଓଡ଼ିଶା ଲ୍ୟାଣ୍ଡ ରିଫର୍ମସ୍ ଆକ୍ଟର ଧାରା ୨୩ ଅଧୀନରେ ଜମି ହସ୍ତାନ୍ତର ମାମଲାରେ ଆଇନର ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଉଲ୍ଲଂଘନ ହୋଇଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରାଯିବ।
ଧାରା ୨୩-ଏ ଅଧୀନରେ ଜମିରେ ଅନଧିକୃତ ଦଖଲ ସମ୍ପର୍କିତ ମାମଲା ମଧ୍ୟ ଏବେ ଅନଲାଇନ୍ ହେବ। ଅଭିଯୋଗ ଆଧାରରେ କିମ୍ବା ଆଇନ ଅନୁଯାୟୀ ମାମଲା ଗ୍ରହଣ କରାଯିବା ପରେ ସମ୍ପୃକ୍ତ ପକ୍ଷଙ୍କୁ ଶୁଣାଣିର ସୁଯୋଗ ଦିଆଯିବ। ଯଦି ତଥ୍ୟ ଓ ପ୍ରମାଣ ଆଧାରରେ ଅନଧିକୃତ ଦଖଲ ପ୍ରମାଣିତ ହୁଏ, ତେବେ ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
ବିଭାଗର କଠୋର ନିର୍ଦ୍ଦେଶ ଅନୁଯାୟୀ, ଏହି ୩ଟି ସେବା ସମ୍ପର୍କିତ ମାମଲାଗୁଡ଼ିକ ଆଉ ଅଫଲାଇନ୍ ମାଧ୍ୟମରେ ପ୍ରକ୍ରିୟାକରଣ କରାଯିବ ନାହିଁ। ସମସ୍ତ ସବ୍-କଲେକ୍ଟରଙ୍କୁ ନିର୍ଦ୍ଧାରିତ ଅନଲାଇନ୍ ବ୍ୟବସ୍ଥା ଅନୁଯାୟୀ ମାମଲାଗୁଡ଼ିକର ନିଷ୍ପତ୍ତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ, ନାଗରିକମାନଙ୍କୁ ଏହି ଅନଲାଇନ୍ ସେବା ସମ୍ପର୍କରେ ସଚେତନ କରିବା ଏବଂ ଏହାର ବ୍ୟାପକ ପ୍ରଚାର କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
