FeaturedLatestNews

ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ: ବିଧାୟକମାନଙ୍କୁ ଦାୟିତ୍ବବାନ ହେବାର ପରାମର୍ଶ

ଭୁବନେଶ୍ୱର (ସଂକେତ ଟିଭି): ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜି ଭୁବନେଶ୍ୱରରେ ୧୭ ତମ ଓଡିଶା ବିଧାନସଭାର ସଦସ୍ୟମାନଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର ଉଦଘାଟନ କରିଛନ୍ତି। ଏହି ଅବସରରେ ନିଜ ଅଭିଭାଷଣରେ ସେ କହିଛନ୍ତି, “ଶ୍ରୀ ଜଗନ୍ନାଥଙ୍କ ମାଟିରେ ଛିଡ଼ା ହେବା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। କ୍ଷମତା ସହିତ ଦାୟିତ୍ବ ମିଳିଥାଏ, ଏହାକୁ ନେଇ ବିଧାୟକମାନେ ଆଗକୁ ବଢ଼ିବା ଉଚିତ।”

ଓଡ଼ିଆରେ “ଜୟ ଜଗନ୍ନାଥ” କହି ଅଭିଭାଷଣ ଆରମ୍ଭ କରିଥିବା ଉପରାଷ୍ଟ୍ରପତି ସମସ୍ତ ବିଧାୟକ ଓ ସାଂସଦଙ୍କୁ ଅଭିବାଦନ ଜଣାଇଥିଲେ ଏବଂ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ବିଧାୟକମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସେ ଆହୁରି କହିଛନ୍ତି, ଚଳିତ ଥର ବିଧାନସଭାକୁ ୮୨ ଜଣ ପ୍ରଥମ ଥର ନିର୍ବାଚିତ ବିଧାୟକ ଆସିଛନ୍ତି। ଏହା ଯୁବ ଓ ଅଭିଜ୍ଞତାର ଏକ ପ୍ରକୃଷ୍ଟ ମିଶ୍ରଣ। ସେ ବିଧାୟକମାନଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ଭୋଟରଙ୍କ ବିଶ୍ବାସ ଭାଜନ ହେବାକୁ ପରାମର୍ଶ ଦେଇଛନ୍ତି।

ଅଭିଭାଷଣରେ ଉପରାଷ୍ଟ୍ରପତି ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ତାମିଲ ନେତା କେ. କାମରାଜଙ୍କ ସହ ତାଙ୍କର ତୁଳନା କରିଛନ୍ତି। ଉଭୟ ନେତା ନିଜ ନିଜ ରାଜ୍ୟରେ ବଳିଷ୍ଠ ନେତୃତ୍ବର ଉଦାହରଣ ବୋଲି ସେ କହିଛନ୍ତି।

ଦେଶକୁ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଉପରାଷ୍ଟ୍ରପତି ଧନ୍ୟବାଦ ଜଣାଇଛନ୍ତି। ସେହିପରି ଜଣେ ମହିଳାଙ୍କୁ ବାଚସ୍ପତି ନିର୍ବାଚିତ କରିଥିବାରୁ ସମସ୍ତ ବିଧାୟକଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।

ଗୃହକାର୍ଯ୍ୟକୁ ହାଲୁକା ଭାବେ ନ ନେବାକୁ ଉପରାଷ୍ଟ୍ରପତି ସମସ୍ତ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ଷ୍ଟାଣ୍ଡିଂ କମିଟିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସେ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *