ହୀରାକୁଦ, ସାତକୋଶିଆ ଓ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍ର ଶୁଭାରମ୍ଭ
ଭୁବନେଶ୍ୱର (ସଂକେତ ଟିଭି): ଚଳିତ ପର୍ଯ୍ୟଟନ ଋତୁ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜିଠାରୁ ଇକୋ ରିଟ୍ରିଟ୍ର ଶୁଭାରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ସାତକୋଶିଆ ଓ ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍ର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଚଳିତ ବର୍ଷ ହୀରାକୁଦ, ସାତକୋଶିଆ, ଦାରିଙ୍ଗବାଡ଼ି ସମେତ ତଲମାଲି, କୋଲାବ, ସୋନାପୁର, କୁସୁମୀ ସହ କୋଣାର୍କ ଭଳି ୮ଟି ସ୍ଥାନରେ ଇକୋ ରିଟ୍ରିଟ୍ କରାଯିବାକୁ ଯୋଜନା କରିଛି ପର୍ଯ୍ୟଟନ ବିଭାଗ।
ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟର ତିନୋଟି ପର୍ଯ୍ୟଟନସ୍ଥଳୀ ଯଥା ଦାରିଙ୍ଗବାଡ଼ି (କନ୍ଧମାଳ), ସାତକୋଶିଆ (କଟକ) ଓ ହୀରାକୁଦ (ସମ୍ବଲପୁର) ଠାରେ ଇକୋ ରିଟ୍ରିଟ୍ ୨୦୨୬ଳ୍କ୨୭ର ଉଦ୍ଘାଟନ କରାଯାଇଛି। ଏହା ପ୍ରକୃତି, ବିଳାସପୂର୍ଣ୍ଣ ଆତିଥ୍ୟ ଓ ଅନୁଭୂତିମୂଳକ ପର୍ଯ୍ୟଟନର ଏକ ନିଆରା ସମନ୍ୱୟ। ଏଠାରେ ପର୍ଯ୍ୟଟକମାନଙ୍କୁ ପାରମ୍ପରିକ ହୋଟେଲ୍ ଓ ରିସର୍ଟଠାରୁ ଭିନ୍ନ ଭାବେ ପ୍ରାକୃତିକ ପରିବେଶ ମଧ୍ୟରେ ବିଳାସପୂର୍ଣ୍ଣ ଟେଣ୍ଟ୍ ଆବାସ ସହିତ ଦୁଃସାହସିକ କାର୍ଯ୍ୟକଳାପ, ସ୍ଥାନୀୟ ଖାଦ୍ୟ ଓ ଆଞ୍ଚଳିକ ସଂସ୍କୃତିର ଅନୁଭୂତି ମିଳିପାରିବ। ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (ଟୠଋ) ମଡେଲ ଅନୁସାରେ ପର୍ଯ୍ୟଟନ ବିଭାଗ ଚୟନିତ ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିମାନଙ୍କୁ ଇକୋ ରିଟ୍ରିଟ୍ର ପ୍ରତିଷ୍ଠା ଓ ପରିଚାଳନା ପାଇଁ କେବଳ ଆବଶ୍ୟକୀୟ ଭାଏବିଲିଟି ଗ୍ୟାପ୍ ସହାୟତା ପ୍ରଦାନ କରାଯାଇଛି।
ଏହି ତିନୋଟି ସ୍ଥାନରେ ମୋଟ ୧୨୫ଟି ବିଳାସପୂର୍ଣ୍ଣ ଟେଣ୍ଟ ସ୍ଥାପନ କରାଯାଇଛି। ଇଭେଣ୍ଟ ମ୍ୟାନେଜମେଣ୍ଟ ଏଜେନ୍ସିକୁ ଦାରିଙ୍ଗବାଡ଼ିରେ ୨୫ଟି ଟେଣ୍ଟକୁ ସର୍ବନିମ୍ନ ୧୫୦ ଦିନ ପର୍ଯ୍ୟନ୍ତ, ହୀରାକୁଦରେ ୫୦ଟି ଟେଣ୍ଟକୁ ସର୍ବନିମ୍ନ ୧୨୦ ଦିନ ପର୍ଯ୍ୟନ୍ତ ଏବଂ ସାତକୋଶିଆରେ ୫୦ଟି ଟେଣ୍ଟକୁ ସର୍ବନିମ୍ନ ୧୫୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବାକୁ ଚୁକ୍ତି ସ୍ୱାକ୍ଷର କରାଯାଇଛି।
ଇକୋ ରିଟ୍ରିଟ୍ ପ୍ରକୃତିଭିଭିକ ପର୍ଯ୍ୟଟନର ପ୍ରସାର, ସ୍ଥାନୀୟ ନିଯୁକ୍ତି ସୃଷ୍ଟି, ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଏବଂ ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବାରେ ସହାୟକ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
