FeaturedLatestNews

ବାତ୍ୟା ‘ଅକୱାନ’ ଆସନ୍ତା ୨୦ ତାରିଖରେ ଅତିକ୍ରମ କରିବ ଆନ୍ଧ୍ରପ୍ରଦେଶ ଉପକୂଳ

ଭୁବନେଶ୍ୱର (ସଂକେତ ଟିଭି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଭୀଷଣ ବାତ୍ୟାର ରୂପ ନେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟା ‘ଅକୱାନ’ ଆସନ୍ତା ୨୦ ନଭେମ୍ବର ମଧ୍ୟାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ନେଲୋର ଏବଂ ଟୁନି ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିବ, ଯାହାକି ସର୍ବାଧିକ ୧୪୫ କିଲୋମିଟର ପର୍ଯ୍ୟନ୍ତ ବଢ଼ିପାରେ। ବର୍ତ୍ତମାନ ଏହି ଗଭୀର ଅବପାତ ଚେନ୍ନାଇଠାରୁ ୭୦୦ କିଲୋମିଟର ପୂର୍ବ-ଦକ୍ଷିଣ ପୂର୍ବ, ବିଶାଖାପାଟଣାଠାରୁ ୮୦୦ କିଲୋମିଟର ଏବଂ ଗୋପାଳପୁରଠାରୁ ୯୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି।

ଆଜି ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାର ରୂପ ନେବ ଏବଂ ୧୭ ନଭେମ୍ବର ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ। ଏହାପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୦ ତାରିଖରେ ଏକ ଅତି ଭୀଷଣ ସାମୁଦ୍ରିକ ଝଡ଼ ଭାବରେ ସ୍ଥଳଭାଗ ଅତିକ୍ରମ କରିବ।

ଉଲ୍ଲେଖଯୋଗ୍ୟ ଯେ, ଗତ ତିନି ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହା ହେଉଛି ତୃତୀୟ ବାତ୍ୟା। ଏହା ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ଏବଂ ‘ମୁରାସୁ’ ସୃଷ୍ଟି ହୋଇଥିବା ବେଳେ ଏବେ ବାତ୍ୟା ‘ଅକୱାନ’ ଉପକୂଳ ଅଞ୍ଚଳରେ ଆତଙ୍କ ଖେଳାଇଛି।

Leave a Reply

Your email address will not be published. Required fields are marked *