FeaturedLatestNewsPolitics

ବିଜେପିର ସଂଗଠନ ଅଭିଯାନ: ଡିସେମ୍ବର ୧ରୁ ମନ୍ତ୍ରୀ ଓ ବିଧାୟକ ପ୍ରବାସରେ

ଭୁବନେଶ୍ୱର(ସଂକେତ ଟିଭି): ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଜବୁତ କରିବା ଲକ୍ଷ୍ୟରେ ବିଜେପି ଏକ ବଡ଼ ସଂଗଠନ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହି ଅଭିଯାନ ଅଧୀନରେ ଡିସେମ୍ବର ୧ରୁ ମନ୍ତ୍ରୀ ଓ ବିଧାୟକମାନେ ପ୍ରବାସରେ ଯିବେ। ନିଜ ନିର୍ବାଚନ ମଣ୍ଡଳୀକୁ ଛାଡ଼ି ସେମାନେ ଅନ୍ୟ ନିର୍ବାଚନ ମଣ୍ଡଳୀ ବୁଲି ସଂଗଠନର ସ୍ଥିତି ଓ ସ୍ଥାନୀୟ ସମସ୍ୟା ପରଖିବେ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ଅନୁଷ୍ଠିତ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କ ଉପସ୍ଥିତିରେ ପ୍ରବାସ କାର୍ଯ୍ୟକ୍ରମର ରୂପରେଖ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି।

ଡିସେମ୍ବର ୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରବାସ କାର୍ଯ୍ୟକ୍ରମ ଚାଲିବ। ଏହି ଅବସରରେ ମନ୍ତ୍ରୀମାନେ ସିଧାସଳଖ ଲୋକଙ୍କ ପାଖକୁ ଯିବେ। ସେହିପରି ବିଧାୟକମାନେ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀ ବ୍ୟତୀତ ଅନ୍ୟ ବିଧାନସଭା କ୍ଷେତ୍ର ଗସ୍ତ କରିବେ ଏବଂ ଦଳୀୟ ସଂଗଠନ କିଭଳି ମଜବୁତ ହେବ ସେନେଇ ବୈଠକ କରିବେ।

ଏହି ଅଭିଯାନରେ ଦଳୀୟ ସଂଗଠନର ସ୍ଥିତି ପରଖିବା ସହ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବା, ସାଧାରଣ ଲୋକଙ୍କ ସହ ସିଧାସଳଖ ଆଲୋଚନା କରିବା ଉପରେ ଗୁରୁତ୍ୱ ରହିଛି। ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ବୃଦ୍ଧି, ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଏବଂ ଜନସମ୍ପର୍କ ବଢ଼ାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *