ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ, ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଖସିବା ସମ୍ଭାବନା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ରାତି ବଢ଼ିବା ସହ ଶୀତର ପ୍ରକୋପ ଅନୁଭୂତ ହେଉଛି। ଏହାରି ମଧ୍ୟରେ ଆସନ୍ତାକାଲିଠାରୁ ରାଜ୍ୟରେ ରାତି ତାପମାତ୍ରା ଆହୁରି ହ୍ରାସ ପାଇବା ସମ୍ଭାବନା ରହିଛି। ପାରଦ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ। ଫଳରେ ଆଗାମୀ ଦିନରେ ଶୀତର ପ୍ରଭାବ ଆହୁରି ବଢ଼ିବ।
ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ କିଛି ଜିଲ୍ଲାରେ କୁହୁଡ଼ି ଦେଖାଦେବାର ଆଶଙ୍କା ରହିଛି। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଓ ସୋନପୁର ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ। ତେଣୁ ସକାଳୁ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ।
ଗତ ୨୪ ଘଣ୍ଟାର ତାପମାତ୍ରା ରେକର୍ଡ ଅନୁସାରେ, ଝାରସୁଗୁଡ଼ାରେ ୧୦.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ସେହିପରି ସେମିଳିଗୁଡ଼ାରେ ୭.୧ ଡିଗ୍ରୀ, ଜି. ଉଦୟଗିରିରେ ୭.୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ, ଫୁଲବାଣୀରେ ୧୧ ଡିଗ୍ରୀ ଏବଂ ଭବାନୀପାଟଣାରେ ୧୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି।
ଅନ୍ୟପଟେ, ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ଭୁବନେଶ୍ୱରର ରାତି ତାପମାତ୍ରା ୧୫ ଡିଗ୍ରୀକୁ ଖସିଛି। ରାଜଧାନୀରେ ମଧ୍ୟ ଶୀତର ଅନୁଭୂତି ବଢ଼ିଛି। ସେପଟେ ରାଉରକେଲାରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ମାତ୍ର ୫୦ ମିଟରକୁ ଖସି ଆସିଥିଲା। ଫଳରେ ସକାଳ ସମୟରେ ଯାତାୟାତ ପ୍ରଭାବିତ ହୋଇଥିବା ସମ୍ଭାବନା ରହିଛି।
ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ସଞ୍ଜୀବ ଦ୍ୱିବେଦୀଙ୍କ ସୂଚନା ଅନୁସାରେ, ଆସନ୍ତାକାଲିଠାରୁ ରାତି ତାପମାତ୍ରା ଆହୁରି କମିବା ସହ ଶୀତର ପ୍ରଭାବ ବଢ଼ିପାରେ। ତେଣୁ ଆଗାମୀ କିଛି ଦିନ ରାଜ୍ୟବାସୀଙ୍କୁ ଶୀତରୁ ସତର୍କ ରହିବାକୁ ପଡ଼ିବ।
