CrimeLatestNews

ଗ୍ରିଲ୍ କାଟି ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ୨ ଲକ୍ଷ ନଗଦ ଲୁଟ

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ତୁଣ୍ଡରା ପଞ୍ଚାୟତ କାନକଟା ଛକ ନିକଟରେ ଏକ ବଡ଼ ଧରଣର ଲୁଟ୍ ଘଟଣା ସାମନା ଆସିଛି। ଦୁର୍ବୃତ୍ତମାନେ ଘରର ଗ୍ରିଲ୍ କାଟି ଭିତରେ ପ୍ରବେଶ କରି ୧୫ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ସହ ୨ ଲକ୍ଷ ଟଙ୍କା ନଗଦ ଲୁଟି ନେଇଛନ୍ତି।

ଲୁଟ୍ର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ବିମଳା ବେହେରା ନାମକ ଜଣେ ଦିବ୍ୟାଙ୍ଗ ବିଧବା। ଶୁକ୍ରବାର ସନ୍ଧ୍ୟାରେ ପରିବାରର ଦୁଇ ମହିଳା ଓ ପିଲାମାନେ ଗାଁରେ ଥିବା ଅନ୍ୟ ଏକ ଘର ନିକଟକୁ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଏହି ଲୁଟ୍ ଘଟାଇଥିଲେ।

ପୀଡ଼ିତା ବିମଳା ବେହେରା ଅଭିଯୋଗ କରିଛନ୍ତି ଯେ, ଲୁଟ୍ ସମ୍ପର୍କରେ ସେ ଖନ୍ତାପଡ଼ା ପୁଲିସକୁ ବାରମ୍ବାର ଫୋନ୍ ଯୋଗେ ଜଣାଇଥିଲେ ମଧ୍ୟ ଏଯାଏଁ ପୁଲିସ ତାଙ୍କ ନିକଟରେ ପହଞ୍ଚିନାହିଁ। ଏହି ଘଟଣାକୁ ନେଇ ପୁଲିସର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ସେହିପରି ଗତକାଲି ବିଳମ୍ବିତ ରାତିରେ ଖଇରା ଥାନା ତୁଡ଼ିଗଡିଆ ବଜାରରୁ ଦୁଇରୁ ଅଧିକ ଦୋକାନରେ ଲୁଟ୍ ହୋଇଥିବା ନେଇ ସୂଚନା ମିଳିଛି। ଶ୍ରୀଜଙ୍ଗ ଓ କାନକଟା ରାସ୍ତାରେ ବାରମ୍ବାର ଚୋରି ଓ ଲୁଟ୍ ଘଟଣା ଘଟୁଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ଏବଂ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *