୧୦୦ ବର୍ଷ ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରିବ ଜମି
ଭୁବନେଶ୍ୱର (ସଂକେତ ଟିଭି): ଦୀର୍ଘ ୧୦୦ ବର୍ଷ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିକୁ ନେଇ ବୋର୍ଡ ଅଫ୍ ରେଭିନ୍ୟୁ ଏକ ଐତିହାସିକ ରାୟ ପ୍ରକାଶ କରିଛନ୍ତି। ଏହି ରାୟ ଫଳରେ ମହାପ୍ରଭୁଙ୍କ ଜମି ପୁନର୍ବାର ତାଙ୍କ ଖାତାକୁ ଫେରିବ।
ପୁରୀ ନିକଟସ୍ଥ ଶାସନ ଦାମୋଦରପୁର ମୌଜାରେ ଥିବା ମହାପ୍ରଭୁଙ୍କ ଜମିକୁ ଭୁଲବଶତଃ ଅନ୍ୟ ବ୍ୟକ୍ତିଙ୍କ ନାମରେ ରେକର୍ଡ କରାଯାଇଥିଲା। ୧୯୨୭ ମସିହାର ରେକର୍ଡ ଅଫ୍ ରାଇଟ୍ସରେ ଏହି ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରହିଥିଲା। କିନ୍ତୁ ୧୯୭୭ ମସିହାରେ ରେକର୍ଡ ପ୍ରସ୍ତୁତି ସମୟରେ ଏହା କିଛି ବ୍ୟକ୍ତିବିଶେଷଙ୍କ ନାମରେ ରେକର୍ଡ ହୋଇଯାଇଥିଲା।
ପରବର୍ତ୍ତୀ ସମୟରେ ଏହା ଜଣାପଡ଼ିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ତରଫରୁ ବୋର୍ଡ ଅଫ୍ ରେଭିନ୍ୟୁରେ ମାମଲା ଦାୟର କରାଯାଇଥିଲା। ଉଭୟ ପକ୍ଷର ଯୁକ୍ତି, ପୁରୁଣା ଜମି ରେକର୍ଡ ଓ ଆବଶ୍ୟକ ରିପୋର୍ଟ ଯାଞ୍ଚ ପରେ ବୋର୍ଡ ଅଫ୍ ରେଭିନ୍ୟୁର ସଦସ୍ୟ ମହାପ୍ରଭୁଙ୍କ ସପକ୍ଷରେ ରାୟ ପ୍ରକାଶ କରିଛନ୍ତି।
ଏଥିସହ ଜମିର ରେକର୍ଡ ସଂଶୋଧନ କରି ତୁରନ୍ତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ରେକର୍ଡ କରିବାକୁ ସମ୍ପୃକ୍ତ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରାୟକୁ ଐତିହାସିକ ବୋଲି କହିଛନ୍ତି ବୋର୍ଡ ଅଫ୍ ରେଭିନ୍ୟୁ କୋର୍ଟର ସରକାରୀ ଓକିଲ ସିଦ୍ଧାର୍ଥ ଶଙ୍କର ଦାସ ଓ ଅମ୍ବିକା ପ୍ରସାଦ ମିଶ୍ର, ମନ୍ଦିର ପରିଚାଳନା କମିଟି।
ଅନ୍ୟପଟେ ମହାପ୍ରଭୁଙ୍କ ଜମି କେଉଁଠି ଭୁଲବଶତଃ ଅନ୍ୟ ନାମରେ ରେକର୍ଡ ହୋଇଥିଲେ କିମ୍ବା ଜବରଦଖଲ ହୋଇଥିଲେ, ସେନେଇ ମନ୍ଦିର ପ୍ରଶାସନ ଓ ସରକାରଙ୍କୁ ତୁରନ୍ତ ଜଣାଇବାକୁ ଭକ୍ତ ଓ ସାଧାରଣ ଲୋକଙ୍କୁ ଅପିଲ୍ କରିଛନ୍ତି ମନ୍ଦିର ପରିଚାଳନା କମିଟି ସଦସ୍ୟ ଅମ୍ବିକା ପ୍ରସାଦ ମିଶ୍ର। ମହାପ୍ରଭୁଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ାଯାଇଛି।
୫୦ ବର୍ଷ ପରେ ଫେରିଲା ମହାପ୍ରଭୁଙ୍କ ନାମରେ ଥିବା ୮୮ ଏକର ଜମି। ପୁରୀ ସମଙ୍ଗରା ମୌଜାର ବାଇଦାସ ନଗର ଠାରୁ ମାଳତୀ ପାଟପୁର ROBକୁ ସଂଯୋଗ କରୁଥିବା ଏନ୍ଏଚ୍ ର ଦୁଇ ପାର୍ଶ୍ୱରେ ରହିଥିଲା ମହାପ୍ରଭୁଙ୍କ ଜମି। ବୋର୍ଡ ଅଫ୍ ରେଭିନ୍ୟୁର ଦୁଇଟି କେଶରେ ରାୟ କ୍ରମରେ ପ୍ରାୟ ୪୧ଟି ପ୍ଲଟ ପୁଣି ମହାପ୍ରଭୁଙ୍କ ନାମକୁ ଆସିଛି। ତହସିଲଦାରଙ୍କ ଉପସ୍ଥିତିରେ ଜମି ଅଧିଗ୍ରହଣ କରାଯାଉଥିବା ବେଳେ ନାଲି ପତାକା ପୋତି ଦଖଲକୁ ନେଇଛି ଶ୍ରୀମନ୍ଦିର ପ୍ରଶାସନ।
