FeaturedLatestNews

ନନ୍ଦନକାନନରେ ମହାବଳ ବାଘ ‘ସେଫ୍’ର ମୃତ୍ୟୁ; ବାଘ ସଂଖ୍ୟା ୨୫କୁ ହ୍ରାସ

ଭୁବନେଶ୍ୱର (ସଂକେତ ଟିଭି): ପ୍ରାଣୀଉଦ୍ୟାନ ନନ୍ଦନକାନନର ୩୧-ଡି ଖୁଆଡ଼ରେ ରହୁଥିବା ସାଧାରଣ ରଙ୍ଗର ଅଣ୍ଡିରା ମହାବଳ ବାଘ ‘ସେଫ୍’ର ମୃତ୍ୟୁ ହୋଇଛି। ପ୍ରାୟ ୧୬ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି।

‘ସେଫ୍’ ଗତ କିଛିଦିନ ହେବ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଥିଲେ। ଗତ ସେପ୍ଟେମ୍ବର ୧୮ରୁ ସେ ଖାଦ୍ୟ ଗ୍ରହଣ ଧୀରେ ଧୀରେ କମାଇ ଦେଇଥିଲେ। ତାଙ୍କଠାରେ ଯକୃତ ସମସ୍ୟା ମଧ୍ୟ ଦେଖାଦେଇଥିଲା।

ପ୍ରାଣୀଉଦ୍ୟାନର ବରିଷ୍ଠ ପଶୁ ଚିକିତ୍ସକଙ୍କ ଟିମ ଏବଂ ଓୟୁଏଟିର ବିଶେଷଜ୍ଞଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଥିଲା। ଶେଷରେ ଗତକାଲି ‘ସେଫ୍’ ଆଖି ବୁଜିଛନ୍ତି।

‘ସେଫ୍’ ୨୦୧୬ ମସିହାରେ ୬ ବର୍ଷ ବୟସରେ ହାଇଦ୍ରାବାଦରୁ ନନ୍ଦନକାନନ ଆସିଥିଲେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ବଂଶ ବୃଦ୍ଧିରେ ମଧ୍ୟ ‘ସେଫ୍’ଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା। ‘ସେଫ୍’ ସହ ୩ଟି ବାଘୁଣୀ ବିଜୟା, ଅଙ୍କିତା ଏବଂ ସ୍ନେହାଙ୍କ ସହ ୪ ଥର ମିଳନରେ ୮ଟି ବାଘ ଶାବକ ଜନ୍ମ ହୋଇଥିଲେ।

‘ସେଫ୍’ଙ୍କ ମୃତ୍ୟୁ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୫କୁ ହ୍ରାସ ପାଇଛି। ତାଙ୍କ ମୃତ୍ୟୁ ପରେ ନନ୍ଦନକାନନ ଓ ପଶୁ ପ୍ରେମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ଏହା ନନ୍ଦନକାନନ ପାଇଁ ଏକ ଅପୂରଣୀୟ କ୍ଷତି।

Leave a Reply

Your email address will not be published. Required fields are marked *