FeaturedLatestSports

ବୃନ୍ଦାବନରେ ସନ୍ଥ ପ୍ରେମାନନ୍ଦଙ୍କୁ ଭେଟିଲେ ବିରାଟ କୋହଲି ଓ ଅନୁଷ୍କା

ନୂଆଦିଲ୍ଲୀ (ସଂକେତ ଟିଭି): ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଭାରତୀୟ ବ୍ୟାଟିଂ ସୁପରଷ୍ଟାର ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ମଙ୍ଗଳବାର ସକାଳେ ବୃନ୍ଦାବନ ପହଞ୍ଚିଥିଲେ। ଅବସର ଘୋଷଣା କରିବାର ମାତ୍ର ଗୋଟିଏ ଦିନ ପରେ ବିରାଟ ବୃନ୍ଦାବନର କୃଷ୍ଣ ନଗରୀରେ ପହଞ୍ଚି ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଥିଲେ। ସେଠାରେ ସେ ମହାରାଜଙ୍କଠାରୁ ଆଶୀର୍ବାଦ ନେଇଥିବା ସହ ପ୍ରାୟ ୧୫ ମିନିଟ୍ ଧରି ଏକାନ୍ତରେ କଥାବାର୍ତ୍ତା କରିଥିଲେ।

ବିରାଟ ଓ ଅନୁଷ୍କା ଆଶ୍ରମରେ ପ୍ରାୟ ସାଢ଼େ ତିନି ଘଣ୍ଟା ସମୟ ବିତାଇଥିଲେ। ସେମାନେ ସକାଳ ୬ଟାରେ ଆଶ୍ରମରେ ପହଞ୍ଚି ୯.୪୦ ମିନିଟ୍ରେ ବୃନ୍ଦାବନ ଛାଡିଥିଲେ। ଏହି ସମୟରେ ସେମାନେ ଆଶ୍ରମର ବିଭିନ୍ନ କାର୍ଯ୍ୟକ୍ରମ ଓ ବୁଝାମଣାରେ ଯୋଗ ଦେଇଥିଲେ। ବିରାଟଙ୍କ ଏହି ବୃନ୍ଦାବନ ଗସ୍ତକୁ ସମ୍ପୂର୍ଣ୍ଣ ଗୋପନୀୟ ରଖାଯାଇଥିଲା। ଏହା ତାଙ୍କର ବୃନ୍ଦାବନ ତୃତୀୟ ଗସ୍ତ ଥିଲା। ପୂର୍ବରୁ ସେ ୨୦୨୩ ଜାନୁଆରୀ ଓ ୨୦୨୪ ଜାନୁଆରୀରେ ମଧ୍ୟ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଥିଲେ।

ସୋମବାର ଦିନ ବିରାଟ ଇନଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ ଦ୍ୱାରା ଟେଷ୍ଟ କ୍ରିକେଟରୁ ଅବସର ନେବାର ଘୋଷଣା କରିଥିଲେ। ସେ ଲେଖିଥିଲେ ଯେ ସେ ଏହି ଫର୍ମାଟରୁ ଅନେକ କିଛି ଶିଖିଛନ୍ତି ଏବଂ ଏହା ତାଙ୍କ ଜୀବନର ଏକ ସୁନ୍ଦର ଅଧ୍ୟାୟ ଥିଲା। ଟି-୨୦ ଆନ୍ତର୍ଜାତୀୟରୁ ଅବସର ନେଇସାରିଥିବା ବିରାଟ ଏବେ କେବଳ ଏକଦିବସୀୟ କ୍ରିକେଟରେ ଖେଳିବା ଜାରି ରଖିବେ। ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ପରେ ସେ ପ୍ରେମାନନ୍ଦ ମହାରାଜଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *