FeaturedLatestNews

ଓଡ଼ିଶା ଆସୁଛନ୍ତି ଅମିତ ଶାହ: ମାର୍ଚ୍ଚ ୬ରେ କଟକ ଓ ଭୁବନେଶ୍ୱରରେ ବ୍ୟାପକ କାର୍ଯ୍ୟକ୍ରମ

ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ ଆସନ୍ତା ମାସରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ଗସ୍ତ କାର୍ଯ୍ୟସୂଚୀ ଅନୁଯାୟୀ, ସେ ମାର୍ଚ୍ଚ ୬ ତାରିଖରେ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରଶାସନିକ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ ମାର୍ଚ୍ଚ ୫ ତାରିଖ (ଗୁରୁବାର) ସନ୍ଧ୍ୟାରେ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀରୁ ଭୁବନେଶ୍ୱରରେ ପହଞ୍ଚିବେ। ପରଦିନ ଅର୍ଥାତ୍ ମାର୍ଚ୍ଚ ୬ ତାରିଖ ପୂର୍ବାହ୍ନରେ ସେ କଟକ ସ୍ଥିତ ମୁଣ୍ଡୁଳିଠାରେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ)ର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଅପରାହ୍ନରେ ତାଙ୍କର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ରହିଛି। ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀଠାରେ ଜାତୀୟ ଫୋରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନଏଫଏସୟୁ) ଏବଂ କେନ୍ଦ୍ରୀୟ ଫରେନ୍ସିକ ବିଜ୍ଞାନ ପରୀକ୍ଷାଗାର (ସିଏଫଏସଏଲ)ର ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ କରିବେ। ଏହି ଅବସରରେ ସେ ଆଭାସୀ ମାଧ୍ୟମରେ ଏନଏଫଏସୟୁର ଟ୍ରାଞ୍ଜିଟ୍ କ୍ୟାମ୍ପସ, ଭୁବନେଶ୍ୱରର ଶୁଭ ଉଦଘାଟନ ମଧ୍ୟ କରିବେ।

ସେହିଦିନ ଅପରାହ୍ନ ପରେ, କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଏକ ବୃହତ୍ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ସେ ବିଭିନ୍ନ ବିଭାଗୀୟ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀଙ୍କ ସିଆଇଏସଏଫ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କଟକର ଗୋଡ଼ିସାହିରୁ ମୁଣ୍ଡୁଳି ପର୍ଯ୍ୟନ୍ତ ରାସ୍ତାର ବ୍ଲାକ୍ ଟପିଂ, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ଏବଂ ପରିଷ୍କାର ପରିଚ୍ଛନ୍ନତା କାର୍ଯ୍ୟ ଶେଷ କରାଯାଇଛି।