FeaturedLatestSports

ଟି-୨୦ ବିଶ୍ଵକପ୍: ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କଲା ଭାରତ

ମୁମ୍ବାଇ (ସଂକେତ ଟିଭି): ଟି-୨୦ ବିଶ୍ଵକପ୍ ୨୦୨୬ର ଦ୍ଵିତୀୟ ସେମିଫାଇନାଲ୍ ମ୍ୟାଚ୍ ରେ ଭାରତ ଇଂଲଣ୍ଡକୁ ମାତ୍ର ୮ ରନ୍ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

ଭାରତ ଦ୍ଵାରା ଧାର୍ଯ୍ୟ ୨୫୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଦମଦାର ପ୍ରଦର୍ଶନ କରିଥିଲା। ଜାକବ ବେଥେଲଙ୍କ ବିଧ୍ଵଂସୀ ଶତକୀୟ ଇନିଂସ ସତ୍ତ୍ଵେ ଇଂଲଣ୍ଡ ବିଜୟ ହାସଲ କରିପାରିନଥିଲା। ବେଥେଲ ୧୦୫ ରନର ଚମତ୍କାର ଇନିଂସ ଖେଳିଥିଲେ ମଧ୍ୟ ତାହା ବୃଥା ହୋଇଯାଇଛି। ଲଢୁଆ ପ୍ରଦର୍ଶନ କରି ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୨୪୬ ରନ୍ କରିପାରିଥିଲା। ଫଳରେ ଭାରତୀୟ ଦଳ ରୋମାଞ୍ଚକର ଏହି ବିଜୟ ସହ ଫାଇନାଲ୍ ପ୍ରବେଶ କରିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ପ୍ରତିଥର ପରି ସେମି ଫାଇନାଲରେ ମଧ୍ୟ ଭାରତର ଆରମ୍ଭ ନିରାଶାଜନକ ଥିଲା। ଅଭିଷେକ ଶର୍ମା ନିଜର ଖରାପ ଫର୍ମ ବଜାୟ ରଖି ୯ ରନ କରି ଆଉଟ୍ ହୋଇଥିଲେ। ହେଲେ ଏହା ପରେ ପଡ଼ିଆରେ ଆରମ୍ଭ ହୋଇଥିଲା ଚୌକା ଓ ଛକା ବର୍ଷା। ସଞ୍ଜୁ ସାମସନ ଓ ଇଶାନ କିଶନ ଇଂଲଣ୍ଡ ବୋଲରଙ୍କୁ ପ୍ରହାର କରିଥିଲେ। ଦୁହେଁ ଧୂଆଁଧାର ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୯୭ ରନ ଯୋଡ଼ି ଭାରତ ପାଇଁ ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ।

ଇଶାନ କିଶନ ମାତ୍ର ୧୮ ବଲରୁ ୪ ଚୌକା ଓ ୨ ଛକା ସହ ୩୯ ରନ କରିଥିଲେ। ଏହା ପରେ ସଞ୍ଜୁ ସାମସନ କ୍ରମାଗତ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୨ ବଲରୁ ୮ ଚୌକା ଓ ୭ ଛକା ସହ ୮୯ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ସଞ୍ଜୁ ଓ ଶିବମ ଦୁବେ ତୃତୀୟ ଓ୍ଵିକେଟ୍ ପାଇଁ ୪୩ ରନ ଯୋଡ଼ିଥିଲେ।

ଏହା ପରେ ଶିବମ ଦୁବେ ମୋର୍ଚ୍ଚା ସମ୍ଭାଳିଥିଲେ। ସେ ଇଂରେଜ ବୋଲରଙ୍କୁ ପ୍ରହାର କରି ଦଳର ରନଗତିକୁ ବଜାୟ ରଖିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମାତ୍ର ୧୧ ରନ କରି ନିରାଶ କରିଥିଲେ। ତେବେ ଶେଷ ଆଡ଼କୁ ଶିବମ ଦୁବେ ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ସେ ୨୫ ବଲରୁ ୧ ଚୌକା ଓ ୪ ଛକା ସହ ୪୩ ରନର ବିସ୍ଫୋରକ ଇନିଂସ ଖେଳିଥିଲେ।

ଶେଷ ଓଭରଗୁଡ଼ିକରେ କାମ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଳକ ବର୍ମା। ତିଳକ ବର୍ମା ଧୂଆଁଧାର ବ୍ୟାଟିଂ କରି ମାତ୍ର ୭ ବଲରୁ ୨୧ ରନ କରିଥିଲେ। ହାର୍ଦ୍ଦିକ ୧୨ ବଲରୁ ୨୭ ରନ କରିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୨୫୩ ରନର ପାହାଡ଼ ଛିଡ଼ା କରିଥିଲା। ନକଆଉଟ୍ ମ୍ୟାଚରେ ଏହା କୌଣସି ଦଳ ଦ୍ୱାରା ସର୍ବୋଚ୍ଚ ସ୍କୋର।

ଇଂଲଣ୍ଡର ଲଢ଼ୁଆ ପ୍ରଦର୍ଶନ ଓ ବେଥେଲଙ୍କ ଶତକ

ଭାରତ ଦ୍ୱାରା ଧାର୍ଯ୍ୟ ୨୫୪ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଦମଦାର ପ୍ରଦର୍ଶନ କରିଥିଲା। ଟମ ବାଣ୍ଟନ ୫ ବଲରୁ ୧୭ ରନ କରି ଆଉଟ୍ ହୋଇଥିଲେ। ତେବେ ଜାକବ ବେଥେଲଙ୍କ ବ୍ୟାଟ୍ ଅଟକି ନଥିଲା। ସେ ଓ୍ଵିଲ ଜ୍ୟାକ୍ସଙ୍କ ସହ ମିଶି ପଞ୍ଚମ ଓ୍ଵିକେଟ୍ ପାଇଁ ୭୭ ରନ ଯୋଡ଼ିଥିଲେ।

ବେଥେଲ ଶତକ ହାସଲ କରି ଇଂଲଣ୍ଡର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ। ସେ ୪୮ ବଲରୁ ୮ ଚୌକା ଓ ୭ ଛକା ସହ ୧୦୫ ରନର ସ୍ମରଣୀୟ ଇନିଂସ ଖେଳିଥିଲେ। ସାମ କରନଙ୍କ ସହ ମିଶି ସେ ଇଂଲଣ୍ଡକୁ ବିଜୟ ଆଡ଼କୁ ଅଗ୍ରସର କରାଇଥିଲେ। ମ୍ୟାଚ୍ ଆଗକୁ ଗତି କରିବା ସହ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା।

ବୁମରା-ହାର୍ଦ୍ଦିକଙ୍କ ଘାତକ ବୋଲିଂ

ତେବେ ବୁମରା ଓ ହାର୍ଦ୍ଦିକ ନିଜର ଶେଷ ଓଭରରେ ଶାଣିତ ବୋଲିଂ କରି ଭାରତକୁ ବିଜୟୀ କରାଇଛନ୍ତି। ବୋଲିଂରେ ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ୍ଵିକେଟ୍ ଏବଂ ଯଶପ୍ରୀତ ବୁମରା ଗୋଟିଏ ଓ୍ଵିକେଟ୍ ନେଇଥିଲେ। ଦୁଇ ବୋଲର ଠିକଣା ସମୟରେ ଘାତକ ବୋଲିଂ କରି ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଶେଷରେ ଇଂଲଣ୍ଡ ୭ ଓ୍ଵିକେଟ୍ ହରାଇ ୨୪୬ ରନ କରିପାରିଥିଲା। ଫଳରେ ଭାରତ ଅତି ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚକୁ ୭ ରନରେ ଜିତି ନେଇଛି।