ରବିବାର ଦିନ ଲୋକଙ୍କ ଖାତାକୁ ଯିବ ସୁଭଦ୍ରା ଟଙ୍କା
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ସରକାରଙ୍କ ଫ୍ଲାଗସିପ୍ ଯୋଜନା ସୁଭଦ୍ରା ଯୋଜନାର ତୃତୀୟ ପର୍ଯ୍ୟାୟ ରାଶି ବିତରଣ ଆସନ୍ତାକାଲି (ରବିବାର, ମାର୍ଚ୍ଚ ୮) ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ୫ ହଜାର କୋଟି ଟଙ୍କାରୁ ଅଧିକ ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ହେବ ବୋଲି ସୂଚନା ଦିଆଯାଇଛି।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ କହିଛନ୍ତି ଯେ, ଏଥର ସର୍ବମୋଟ ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ। ଏହି ପର୍ଯ୍ୟାୟ ପାଇଁ ୧ କୋଟି ୧୨ ଲକ୍ଷ ୫୭ ହଜାର ୬୬୭ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଚୟନ କରାଯାଇଛି।
ଏହି ଅବସରରେ ପୁରୀ ଜିଲ୍ଲାର ତାଳବଣିଆ ଠାରେ ଏକ ବୃହତ୍ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏଥର ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂଆ ହିତାଧିକାରୀ ଯୋଡ଼ି ହୋଇଛନ୍ତି, ଯେଉଁମାନେ ପ୍ରଥମ ଥର ପାଇଁ ଏହି ଟଙ୍କା ପାଇବେ। ଏହା ସହିତ, ଗ୍ରୀଭାନ୍ସ ପୋର୍ଟାଲରେ ଆସିଥିବା ଅଭିଯୋଗର ସମାଧାନ କରାଯାଇ ଅତିରିକ୍ତ ୩୬ ହଜାର ୩୮୫ ଜଣଙ୍କୁ ଏହି କିସ୍ତିରେ ସାମିଲ କରାଯାଇଛି।
ଯୋଜନାର ଭବିଷ୍ୟତ ବିଷୟରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ଏପ୍ରିଲ ମାସରେ ଯେଉଁମାନେ ୨୧ ବର୍ଷ ପୂରଣ କରିବେ, ସେମାନେ ନୂଆ କରି ଆବେଦନ କରିପାରିବେ। ଆଗାମୀ କିସ୍ତି ପାଇଁ ସେମାନଙ୍କୁ ନୂଆ ହିତାଧିକାରୀ ଭାବେ ବିବେଚନା କରାଯିବ। ସେହିପରି, ଯେଉଁମାନେ ଏହି ପର୍ଯ୍ୟାୟରେ ୨୧ ବର୍ଷ ପୂରଣ କରିଛନ୍ତି, ସେମାନଙ୍କ ପାଇଁ ଏହା ଦ୍ୱିତୀୟ କିସ୍ତି ହେବ।
