ମଧ୍ୟପ୍ରାଚ୍ୟରେ ଫସିଥିବା ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ନବୀନଙ୍କ ନିବେଦନ
ଭୁବନେଶ୍ୱର (ସଂକେତ ଟିଭି): ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଜାରି ରହିଥିବା ସଂଘର୍ଷ ଏବଂ ଯୁଦ୍ଧ ପରିସ୍ଥିତି ଯୋଗୁଁ ସେଠାରେ ଫସି ରହିଥିବା ଓଡ଼ିଆ ମାନଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ନିବେଦନ କରିଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷର ପ୍ରଭାବ କେବଳ ସେହି ଅଞ୍ଚଳରେ ସୀମିତ ନ ରହି ସମଗ୍ର ବିଶ୍ୱରେ ପଡ଼ିଛି। ବିଶେଷ କରି ଏହି ଯୁଦ୍ଧପ୍ରଭାବିତ ଦେଶଗୁଡ଼ିକରେ ଲକ୍ଷ ଲକ୍ଷ ଭାରତୀୟ ନାଗରିକ ଫସି ରହିଛନ୍ତି, ଯେଉଁଥିରେ ଓଡ଼ିଶାର ବହୁ ଲୋକ ସାମିଲ ଅଛନ୍ତି।
ଫସି ରହିଥିବା ଓଡ଼ିଆମାନଙ୍କ ମଧ୍ୟରେ ପ୍ରବାସୀ ଶ୍ରମିକ, ବୃତ୍ତିଗତ, ଛାତ୍ର ଏବଂ ପର୍ଯ୍ୟଟକମାନେ ରହିଛନ୍ତି ବୋଲି ନବୀନ ଉଲ୍ଲେଖ କରିଛନ୍ତି। ବିମାନ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା କାରଣରୁ ଏବଂ ସେଠାରେ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଥିବାରୁ ସେମାନେ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଛନ୍ତି।
“ସେମାନଙ୍କର ସୁରକ୍ଷା ଏବଂ କଲ୍ୟାଣ ବିପଦରେ ଅଛି। ସେମାନେ ଜରୁରୀ ସହାୟତା ପାଇଁ ନିଜ ଦେଶକୁ ଚାହିଁ ରହିଛନ୍ତି,” ପୂର୍ବତନ ମୁଖ୍ୟମନ୍ତ୍ରୀ ଜଣକ ଏକ ବିବୃତ୍ତିରେ କହିଛନ୍ତି। ତେଣୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଏହି ଫସି ରହିଥିବା ଓଡ଼ିଆ ମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ଜୋରଦାର ଅନୁରୋଧ କରିଛନ୍ତି।
ନବୀନଙ୍କ ଏହି ନିବେଦନ ପ୍ରସଙ୍ଗରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ବିଗତ ଦିନରେ ସରକାର ଯେମିତି ପଦକ୍ଷେପ ନେଇଥିଲେ, ଏଥର ମଧ୍ୟ ସେମିତି ପଦକ୍ଷେପ ନେବେ। ସମସ୍ତ ଓଡ଼ିଆ ସୁରକ୍ଷିତ ଭାବେ ଫେରି ଆସିବେ। ଲୋକେ ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।”
ଏହାସହ ମଧ୍ୟପ୍ରାଚ୍ୟର ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ ୨ ତାରିଖରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସୂଚନା ଅନୁଯାୟୀ, ପ୍ରବାସୀଙ୍କ ସହଯୋଗ ପାଇଁ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ୨୪ ଘଣ୍ଟିଆ ଟୋଲଫ୍ରି ନମ୍ବର ୮୦୦-୪୬୩୪୨ ଏବଂ ହ୍ୱାଟ୍ସଆପ୍ ନମ୍ବର ୯୭୧୫୪୩୦୯୦୫୭୧ ଜାରି କରାଯାଇଛି।
ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ସହାୟତା ପାଇଁ ଏକ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଓଡ଼ିଶା ମୋ ପରିବାର, ରାଜ୍ୟ ଗୃହ ବିଭାଗ, ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ ଏବଂ ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା (ପ୍ରୋଟେକ୍ଟର ଅଫ୍ ଏମିଗ୍ରାଣ୍ଟସ୍) ସହ ମିଳିତ ଭାବେ ଏକ ୱାର୍କିଂ ଗ୍ରୁପ୍ ଗଠନ କରାଯାଇଛି। ଏଥିପାଇଁ ଓଡ଼ିଶା ପରିବାରର ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ପ୍ରିତୀଶ ପଣ୍ଡାଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ତାଙ୍କର ଦୂରଭାଷ ନମ୍ବର ହେଉଛି ୯୫୮୩୩୨୧୯୬୪। ଏହି ନମ୍ବରରେ ଯୋଗାଯୋଗ କରି ଫସି ରହିଥିବା ଓଡ଼ିଆ ଏବଂ ସେମାନଙ୍କ ପରିବାର ଲୋକେ ସହାୟତା ଓ ସୂଚନା ପାଇପାରିବେ।
