FeaturedLatestNews

ଓଭରଲୋଡ୍ ଯୋଗୁଁ ହେଉଛି ବିଦ୍ୟୁତ କାଟ୍: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର (ସଂକେତ ଟିଭି): ଅସହ୍ୟ ଗୁଳୁଗୁଳି ମଧ୍ୟରେ ରାଜଧାନୀ ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ଲୋକେ ଚରମ ଦୁର୍ବିପାକର ସମ୍ମୁଖୀନ ହେଉଛନ୍ତି। ବିନା କାରଣରେ ଘଣ୍ଟା ଘଣ୍ଟା ଧରି ଲାଇନ ଯାଉଥିଲେ ମଧ୍ୟ ବିଦ୍ୟୁତ୍ ଆସୁନି। ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଶୁଣୁନଥିବା ଲୋକେ ଅଭିଯୋଗ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଚେତାବନୀକୁ ବି ବିଦ୍ୟୁତ ବିତରଣ କମ୍ପାନୀ ଶୁଣୁନାହିଁ। ଗରମରେ ୨୪ ଘଣ୍ଟା କରେଣ୍ଟ ରହିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାକୁ ଫୁଙ୍କି ଉଡ଼ାଇ ଦିଆଯାଇଛି। ଅଘୋଷିତ ବିଦ୍ୟୁତ କାଟ୍ କୁ ନେଇ ପ୍ରତିବାଦର ସ୍ବର ତୀବ୍ର ହେଉଛି। ଲୋକେ ନିଜର ଦାବି ଜଣାଇବା ସହ ଆନ୍ଦୋଳନ ମଧ୍ୟ କରୁଛନ୍ତି, କିନ୍ତୁ ଲୋକଙ୍କ ଦୁଃଖ ବୁଝୁଛି କିଏ?

ଏହି ପରିପ୍ରେକ୍ଷୀରେ ପ୍ରତିକ୍ରିୟା ରଖି ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓଭରଲୋଡ୍ ଯୋଗୁଁ ପାୱାର କାଟ୍ ହେଉଥିବା ସଫେଇ ଦେଇଛନ୍ତି। “ଏବେ ଯେଉଁପରି ହିଟୱେଭ୍ ଚାଲିଛି, ତାହା କାହାରି ହାତରେ ନାହିଁ। ପିକ୍ ହିଟ୍ ସମୟରେ ଅଧିକ ଡିମାଣ୍ଡ୍ ରହୁଛି, ଏସି ବ୍ୟବହାର ବଢ଼ିଯାଉଛି। ଫଳରେ ଟ୍ରାନ୍ସଫର୍ମର ବର୍ଣ୍ଣ ଆଉଟ୍ ହେଉଛି,” ବୋଲି କହିଛନ୍ତି ଶକ୍ତିମନ୍ତ୍ରୀ। ଶୀଘ୍ର ରିଷ୍ଟୋର୍ କରିବା ପାଇଁ ବ୍ୟବସ୍ଥା କରାଯାଉଥିବା ମଧ୍ୟ ସେ ଦର୍ଶାଇଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରତିବର୍ଷ ଗ୍ରୀଷ୍ମ ଆରମ୍ଭରେ ଅଘୋଷିତ ବିଦ୍ୟୁତ କାଟ୍ ହେବା ନୂଆ ନୁହେଁ। କିଛି ଦିନ ପୂର୍ବେ ଏନେଇ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଥିଲେ। ତେବେ ତାଙ୍କ କଡ଼ା ନିର୍ଦ୍ଦେଶ ପରେ ବି କାହିଁକି ପାୱାର କାଟ୍ ହେଉଛି, ତାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି।