ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ଗୁଳି କରି ହତ୍ୟା ଉଦ୍ୟମ
ଜାମ୍ମୁ(ସଂକେତ ଟିଭି): ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ହତ୍ୟା ଉଦ୍ୟମର ଏକ ବଡ଼ ଷଡ଼୍ୟନ୍ତ୍ର ବିଫଳ ହୋଇଛି। ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତି ସେମାନଙ୍କ ନିକଟରେ ପହଞ୍ଚି ଗୁଳି ଚଳାଇବାକୁ ଉଦ୍ୟମ କରିଥିଲା।
ସୂଚନା ଅନୁଯାୟୀ, ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିର ଫାଇଦା ଉଠାଇ ଆକ୍ରମଣକାରୀ ଜଣକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟବର୍ତ୍ତୀ ହୋଇଯାଇଥିଲା। ତେବେ ସୁରକ୍ଷାକର୍ମୀଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣରୁ ଫାରୁକ ଅବଦୁଲ୍ଲା ବର୍ତ୍ତିଯାଇଛନ୍ତି। ଆକ୍ରମଣକାରୀକୁ ଘଟଣାସ୍ଥଳରେ ହିଁ କାବୁ କରି ଗିରଫ କରାଯାଇଛି।
ଗିରଫ ଆକ୍ରମଣକାରୀଜଣକ ୬୮ ବର୍ଷୀୟ କମଲ ସିଂ ଜାମୱାଲ ବୋଲି ଜଣାପଡ଼ିଛି। ସେ ପୁରାନି ମଣ୍ଡି ଅଞ୍ଚଳର ବାସିନ୍ଦା। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଆକ୍ରମଣକାରୀ ଏପରି ଏକ ସୁଯୋଗକୁ ଗତ ୨୦ ବର୍ଷ ଧରି ଅପେକ୍ଷା କରିଥିଲା। ଏହି ଘଟଣାର ସିସିଟିଭି ଫୁଟେଜରେ ଆକ୍ରମଣକାରୀ ଫାରୁକ ଅବଦୁଲ୍ଲାଙ୍କୁ ଅତି ନିକଟରୁ ପିସ୍ତଲ ଦ୍ବାରା ଆକ୍ରମଣ ଉଦ୍ୟମ କରୁଥିବା ସ୍ପଷ୍ଟ ଦେଖିବାକୁ ମିଳିଛି।
ଏହି ଘଟଣାକୁ ନେଇ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ଫାରୁକ ଅବଦୁଲ୍ଲାଙ୍କ ପୁତ୍ର ଓମାର ଅବଦୁଲ୍ଲା ଗଭୀର ଆଶ୍ବସ୍ତି ପ୍ରକାଶ କରିଛନ୍ତି। ସେ ନିଜର X ହ୍ୟାଣ୍ଡଲରେ ଲେଖିଛନ୍ତି, “ଆଲ୍ଲା ଦୟାଳୁ। ମୋ ବାପା ଅଳ୍ପକେ ବର୍ତ୍ତିଯାଇଛନ୍ତି।”
ସେ ପୋଷ୍ଟରେ ଆହୁରି ଉଲ୍ଲେଖ କରିଛନ୍ତି, “ବର୍ତ୍ତମାନ ବିବରଣୀ ଅସ୍ପଷ୍ଟ। ତେବେ ଜଣେ ବ୍ୟକ୍ତି ଲୋଡେଡ୍ ପିସ୍ତଲ ଧରି ଅତି ନିକଟରୁ ଗୁଳି ଚଳାଇଥିବା ବେଳେ, କ୍ଲୋଜ୍ ପ୍ରୋଟେକ୍ସନ୍ ଟିମ୍ (ସିପିଟି) ଏହାକୁ ପ୍ରତିହତ କରିଥିଲେ ଏବଂ ହତ୍ୟା ଉଦ୍ୟମକୁ ପଣ୍ଡ କରିଦେଇଥିଲେ।” ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ଏହି ଘଟଣାରେ ଗୁରୁତର ପ୍ରଶ୍ନ ଉଠାଇଛନ୍ତି, “Z+ NSG-ସୁରକ୍ଷା ପରିଧିରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏତେ ନିକଟରେ ଆକ୍ରମଣକାରୀ କିପରି ପହଞ୍ଚି ପାରିଲା।”
ଓମାର ଅବଦୁଲ୍ଲା ଆହୁରି ମଧ୍ୟ କହିଛନ୍ତି, “ସୌଭାଗ୍ୟବଶତଃ ସେହି ସମୟରେ ମୋ ବାପାଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଏବଂ ନାସିର ସୋଗାମି ମଧ୍ୟ ଥିଲେ। ଉଭୟ ସୁରକ୍ଷିତ ଏବଂ ସୁସ୍ଥ ଅଛନ୍ତି। ସର୍ବଶକ୍ତିମାନ ସେମାନଙ୍କୁ ସୁରକ୍ଷା ଦେଇଛନ୍ତି।”
Allah is kind. My father had a very close shave. The details are sketchy at the moment but what is known is that a man with a loaded pistol was able to get within point blank range & discharge a shot. It was only the close protection team that deflected the shot & ensured that… https://t.co/hYBe64Eigl
— Omar Abdullah (@OmarAbdullah) March 11, 2026
