FeaturedGeneralLatestPolitics

ତାମିଲନାଡୁ ବିଧାନସଭା ନିର୍ବାଚନ: ବହୁମତ ଆଡକୁ ଅଗ୍ରସର ବିଜୟଙ୍କର ଟିଭିକେ ଦଳ

ଚେନ୍ନାଇ (ସଂକେତ ଟିଭି): ତାମିଲନାଡୁରେ ବିଧାନସଭା ନିର୍ବାଚନ ୨୦୨୬ର ଭୋଟ୍ ଗଣତି ଜାରି ରହିଛି। ପ୍ରାରମ୍ଭିକ ଟ୍ରେଣ୍ଡରୁ ରାଜ୍ୟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନର ସଙ୍କେତ ମିଳିଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ ‘ତାମିଲଗା ଭେଟ୍ରି କାଝାଗମ’ (TVK) ବହୁମତ ଆଡ଼କୁ ଅଗ୍ରସର ହେଉଥିବା ଦେଖାଯାଇଛି। ତାଙ୍କ ଦଳ ରାଜ୍ୟର ପାରମ୍ପରିକ ରାଜନୈତିକ ସମୀକରଣକୁ ସମ୍ପୂର୍ଣ୍ଣ ଓଲଟପାଲଟ କରିଦେଇଛି। ବିଜୟ ଏକାକୀ ଲଢ଼ି ସବୁ ବଡ଼ ମେଣ୍ଟ ପାଇଁ ଟେନସନ୍ ପାଲଟିଛନ୍ତି। ତାଙ୍କର ଲୋକପ୍ରିୟତା ଏବଂ ତାଙ୍କ ଦଳ ପ୍ରତି ଯୁବପିଢ଼ିଙ୍କ ଆକର୍ଷଣ ଅନେକ ସ୍ଥାନରେ ସ୍ଥାପିତ ଦଳଗୁଡ଼ିକୁ ପଛରେ ପକାଇ ଦେଇଛି, ଯାହା ଆଜିର ଫଳାଫଳରୁ ସ୍ପଷ୍ଟ ଜଣାପଡୁଛି।

ତାମିଲନାଡୁର ସମୁଦାୟ ୨୩୪ ବିଧାନସଭା ଆସନ ପାଇଁ ଗଣତି ଜାରି ରହିଛି। ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ବା ବହୁମତ ସଂଖ୍ୟା ହେଉଛି ୧୧୮। ନିର୍ବାଚନ କମିଶନ (ECI)ଙ୍କ ତଥ୍ୟ ଅନୁଯାୟୀ, ପ୍ରାରମ୍ଭିକ ଟ୍ରେଣ୍ଡରେ ଟିଭିକେ ସର୍ବବୃହତ ଦଳ ଭାବରେ ଉଭା ହୋଇଛି। ସର୍ବଶେଷ ରିପୋର୍ଟ ଅନୁଯାୟୀ ଟିଭିକେ ୧୦୯ଟି ଆସନରେ ଆଗୁଆ ଥିବା ବେଳେ ଏଆଇଏଡିଏମକେ (AIADMK) ୪୫ଟି ଆସନରେ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ଦଳ ୫୯ଟି ଆସନରେ ଆଗୁଆ ରହିଛି। ଏପର୍ଯ୍ୟନ୍ତ ଟିଭିକେର ୨୨ ଜଣ ବିଜୟୀ ହୋଇଥିବା ବେଳେ, ଡିଏମକେର ୮ ଜଣ ଏବଂ ଏଆଇଏଡିଏମକେର ୪ ଜଣ ବିଜୟୀ ହୋଇଛନ୍ତି।

ଚଳିତ ବର୍ଷ ଏପ୍ରିଲ ୨୩ ତାରିଖରେ ତାମିଲନାଡୁରେ ଏକକ ପର୍ଯ୍ୟାୟରେ ମତଦାନ ହୋଇଥିଲା। ଏଥର ରାଜ୍ୟରେ ରେକର୍ଡ ୮୪.୬୯ ପ୍ରତିଶତ ମତଦାନ ହୋଇଥିଲା, ଯାହାକି ପୂର୍ବର ସର୍ବାଧିକ ରେକର୍ଡ ୭୮.୩୯ ପ୍ରତିଶତକୁ ଅତିକ୍ରମ କରିଥିଲା। ଏଥର ନିର୍ବାଚନରେ ମୁଖ୍ୟତଃ ଏନଡିଏ (NDA) ଏବଂ ଇଣ୍ଡିଆ ମେଣ୍ଟ (INDIA bloc) ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଜୟଙ୍କ ଏଣ୍ଟ୍ରି ଏହାକୁ ଏକ ରୋମାଞ୍ଚକର ତ୍ରିମୁଖୀ ଲଢ଼େଇରେ ପରିଣତ କରିଦେଇଛି। ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍, ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍, ବିରୋଧୀ ଦଳ ନେତା ଏଡାପ୍ପାଡି କେ. ପଲାନିସ୍ୱାମୀ ଏବଂ ବିଜୟଙ୍କ ଭଳି ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି।