FeaturedLatestNewsPolitics

କେନ୍ଦୁଝର ଘଟଣାରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ହୁଲୁସ୍ତୁଲ କଲା କଂଗ୍ରେସ

ଭୁବନେଶ୍ୱର (ସଂକେତ ଟିଭି): କେନ୍ଦୁଝରରେ ଟଙ୍କା ପାଇଁ ଭଉଣୀର କଙ୍କାଳ ଭାଇ ବ୍ୟାଙ୍କ ଆଣିବା ଘଟଣା ପ୍ରସଙ୍ଗରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ହୁଲୁସ୍ତୁଲ ହୋଇଉଠିଛି। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରସ୍ତାବ ଆଗତ କରିବା କ୍ଷଣି ଗୃହ ମଧ୍ୟଭାଗରେ କଂଗ୍ରେସ ପ୍ଲାକାର୍ଡ ପ୍ରଦର୍ଶନ କରିଛି। ସେହିପରି ରାୟଗଡ଼ାର ସିଜିମାଳିରେ ଆଦିବାସୀ ମହିଳାଙ୍କୁ ପୋଲିସର ଆକ୍ରମଣ ପ୍ରସଙ୍ଗରେ କଂଗ୍ରେସ ନାରାବାଜି କରିଛି।

ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଚାଲିଛି। ଅଧିବେଶନ ଆରମ୍ଭ ପୂର୍ବରୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି। ଅଧିବେଶନ ଆରମ୍ଭ ହେବା କ୍ଷଣି ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ମୁଖ୍ୟମନ୍ତ୍ରୀଙ୍କ ବିବୃତି ରଖିବା ସମୟରେ ଗୃହ ମଧ୍ୟଭାଗରେ କଂଗ୍ରେସ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲା। ସମସ୍ତ କଂଗ୍ରେସ ବିଧାୟକ ଫ୍ଲୋରକୁ ଆସି କେନ୍ଦୁଝରରେ ଟଙ୍କା ପାଇଁ ଭଉଣୀର କଙ୍କାଳ ଭାଇ ବ୍ୟାଙ୍କ ଆଣିବା ଘଟଣା କଥା ଉଠାଇଥିଲେ। ପ୍ରାୟ ୧୫ ମିନିଟ୍ ଧରି ବିକ୍ଷୋଭ ପ୍ରଦର୍ଶନ କରି କଂଗ୍ରେସ ଦଳ ଗୃହ ପରିତ୍ୟାଗ କରିଥିଲା।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, “ଓଡ଼ିଶାର ସ୍ୱାଭିମାନ ଆଜି ବିଶ୍ୱ ଦରବାରରେ ଲଜ୍ଜିତ। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଆଦିବାସୀ ବ୍ୟକ୍ତି ବ୍ୟାଙ୍କକୁ ଧାଇଁଲେ। ବ୍ୟାଙ୍କ କହିଲା ପ୍ରମାଣ ଆଣ। ଶେଷରେ ନିରୀହ ଆଦିବାସୀ ବ୍ୟକ୍ତି ଭଉଣୀର କଙ୍କାଳ ମାଟି ତଳୁ ଖୋଳି ନେଇ ବ୍ୟାଙ୍କକୁ ଗଲା। କେନ୍ଦୁଝର ଜିଲ୍ଲା ପାଟଣାର ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ଅଭାବନୀୟ ଘଟଣା ନେଇ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ଏଭଳି ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି। ଏଥିପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅମାନବିକତା ଓ ଅସମ୍ବେଦନଶୀଳତାକୁ ପ୍ରମାଣ କରୁଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ମହିଳାଙ୍କ ବିରୋଧରେ ଏଭଳି ଘଟଣା ଘଟୁଛି। ସାରା ରାଜ୍ୟରେ କ’ଣ ନ ହେଉଥିବ?”

କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ମହିଳାଙ୍କ ପାଇଁ ଆଲୋଚନା କରିବାକୁ ସରକାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। କିନ୍ତୁ ମହିଳାଙ୍କ କଙ୍କାଳ ବ୍ୟାଙ୍କରେ ଡିପୋଜିଟ୍ କରିବାକୁ ପଡ଼ିଲା। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ କଙ୍କାଳ ସୁରକ୍ଷିତ ନୁହେଁ। ବାହୁବଳ ଦେଖାଇବା ପାଇଁ ଅଧିବେଶନ ଡାକିଛନ୍ତି। ସାରା ବିଶ୍ୱରେ ଏ କଙ୍କାଳ ଚିତ୍ର ଚାଲିଛି। ଓଡ଼ିଶାର ସ୍ୱାଭିମାନକୁ ବିକ୍ରି କରିଛନ୍ତି। ଆଦିବାସୀ ମହିଳାଙ୍କୁ ନ୍ୟାୟ ଦେବା ନେଇ ଆଲୋଚନା କରିବାକୁ ବାଚସ୍ପତିଙ୍କୁ ଅବଗତ କରିଥିଲୁ। ଡବଲ୍ ଇଞ୍ଜିନ୍ ସରକାରରେ ମହିଳା ସୁରକ୍ଷିତ ନୁହଁନ୍ତି।”